ଭୁବନେଶ୍ୱର: ରାଜ୍ୟରେ ବଢୁଛି ବର୍ଷା । ଲଘୁଚାପ ପ୍ରଭାବରେ ଗତ ତିନି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ବିଜୁଳି, ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଏଥିପାଇଁ କେନ୍ଦୁଝର, ମୟୂରବଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ବର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୨୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । ୨୩ ଓ ୨୪ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।
ଏହାସହ କିଛି ଦିନ ହେଲା ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ: ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି; କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ