ସୋମବାର ଦିନ ଗଞ୍ଜାମ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗଂଜାମ ଜିଲ୍ଲା କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ ମା, ଝିଅ ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ଜଣେ ନାବାଳିକା ଗୁରୁତର ହୋଇପଡ଼ିଛି। ମୃତ ତିନି ଜଣଙ୍କ ନାମ ଉଷା ବେହେରା, ଅନୁସୂୟା ବେହେରା ଏବଂ ଉଷାଙ୍କ ନାତି ବୋଲି ଚିହ୍ନଟ କରାଯାଇଛି।
ସୂଚନା ମୁତାବକ ଆଜି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଂଚାୟତର କଳିଙ୍ଗଦଳା ଗାଁରୁ ମା ଉଷା ବେହେରା (୫୦), ଝିଅ ଅନୁସୟା ବେହେରା( ୩୫), ସାତ ବର୍ଷର ନାତୁଣୀ ଏବଂ ପାଞ୍ଚ ବର୍ଷର ନାତିକୁ ଧରି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଆସିଥିଲେକ୍ଷ ନଦୀ ବାଲିରେ ବୁଲୁଥିବାବେଳେ ନଦୀର ପ୍ରବଳ ଜଳସ୍ରୋତରେ ସେମାନେ କୌଣସି ପ୍ରକାରେ ଭାସି ଯାଇଥିଲେ। ଚାରି ଜଣ ନିଖୋଜ ହେବା ପରେ, ଏହାକୁ ଦେଖିଥିବା ଗ୍ରାମବାସୀ ନଦୀକୁ ଡେଇଁ କିଛି ସମୟ ପରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଚିକିଟିର ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଡାକ୍ତର ମହିଳା, ତାଙ୍କ ଝିଅ ଏବଂ ନାତିଙ୍କୁ ମୃତ ଘୋଷଣା କରିଥିଲେ। ନାତୁଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରର MKCG ସ୍ଥାନାନ୍ତର କରାଯାଇଛି। ଏହି ଦୁଃଖଦ ଖବର ପାଇବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।