କଟକ: ଆଜି ମହାମାୟାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୀଠରେ ଚାଲିଛି ମା'ଙ୍କ ଦଶମୀ ପୂଜା। ଏହି ଅବସରରେ କଟକରେ ଦଶହରା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପ ବୁଲିବା ପରେ ଆଜି ରୌପ୍ୟନଗରୀରେ ପହଞ୍ଚିଛନ୍ତି ମୁ୍ଖ୍ୟମନ୍ତ୍ରୀ। ସେଠାରେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କ ଆଶୀର୍ବାଦ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସେଠାରେ ମା’ଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ତାଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ଲୋକେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିକଟରୁ ଦେଖିବା ଲାଗି ଉତ୍ସାହିତ ଅଛନ୍ତି । ପୂଜା ମଣ୍ଡପରେ ଲୋକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଗୋପାଳପୁର, ଚାଉଳିଆଗଞ୍ଜ, ଖାନନଗର ଭଳି କଟକର ୩୩ଟି ପୂଜାମଣ୍ଡପ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ।