କଟକ: ଦଶହରାରେ ପୂଜା ମାହୋଲକୁ ଫିକା କରିଛି ଲଘୁଚାପ ବର୍ଷା। ପୂଜା ଚାଲିଥିବା ବେଳେ କଟକରେ ଭୁଷୁଡିଲା ଲାଇଟ୍ ଗେଟ୍। କଲେଜ ଛକରେ ଥିବା ଲାଇଟ୍ ଗେଟ୍ ପ୍ରବଳ ବର୍ଷା ଫଳରେ ଭୁଷୁଡି ପଡିଛି। ରାସ୍ତା ଉପରେ ପଡିରହିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଛି । ଆଖପାଖ ଅଞ୍ଚଳର ବିଦ୍ୟୁତ୍ କାଟ କରାଯାଇ ରାସ୍ତା ଅବରୋଧ ହଟାଯାଉଛି। ହେଲେ ବର୍ଷା ଯୋଗୁଁ ନୁହେଁ ବରଂ ଏହା ଦୁର୍ଘଟଣା ହେତୁ ଭାଙ୍ଗିଯାଇଥିବା ନେଇ ପୂଜାମଣ୍ଡପର ସଭାପତି କହିଛନ୍ତି। ପିକ୍ଅପ ଭ୍ୟାନ୍ ଧକ୍କା ଦେବାରୁ ଏଭଳି ଭାଙ୍ଗିଯାଇଥିବା ସେ କହିଛନ୍ତି।
ସେପଟେ ପ୍ରବଳ ବର୍ଷାଯୋଗୁଁ ଭାଙ୍ଗିଲା ପୂଜାମଣ୍ଡପର ଗେଟ୍। କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଯାଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଆହତ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଦଶମୀ ଓ ଭସାଣୀ ଫିକା ପଡିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବା। ପରବର୍ତ୍ତୀ ସମୟରେ ଏହା ଆହୁରୀ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ଯାହା ଦଶହରା ମଜାକୁ ପାଣିଚିଆ କରିବ। ଆସନ୍ତାକାଲି ଏବଂ ୩ ତାରିଖ ସକାଳ ଯାଏଁ ବଡ଼ ବର୍ଷାର ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ପୂଜା ତୋରଣ ସହ ପେଣ୍ଡାଲ ଗୁଡ଼ିକ ପ୍ରଭବିତ ହୋଇପାରେ। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।