ଭୁବନେଶ୍ୱର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ସବ୍ ଇନସ୍ପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏସଆଇ ପରୀକ୍ଷାରେ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିବା ସ୍ପଷ୍ଟ ହୋଇସାରିଛି । ମାମଲାରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ଉତ୍ତର ପ୍ରସ୍ତୁତି ପାଇଁ ଆନ୍ଧ୍ର ନିଆଯାଇଥିଲା । ପ୍ରତ୍ୟେକ ପରୀକ୍ଷାର୍ଥୀ ପିଛା ୨୦ରୁ ୨୫ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ଦୁଇ ଦଫାରେ ଟଙ୍କା ଦିଆଯାଇଥାଆନ୍ତା । ପ୍ରଥମେ ସମସ୍ତେ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ପରୀକ୍ଷା ପରେ ଆଉ ବାକି ୧୫ ଲକ୍ଷ ଟଙ୍କା ଦଲାଲଙ୍କୁ ଦେଇ ଥାଆନ୍ତେ । ପ୍ରାୟ ୨୯ କୋଟି ଟଙ୍କାର କାରବାର ହେଉଥିଲା । କିନ୍ତୁ ଏହି ଖବର ପୋଲିସ କାନରେ ପଡ଼ିଥିଲା । ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକଙ୍କ ନେତୃତ୍ୱରେ ଏକ ଟିମ୍ ସ୍ୱତନ୍ତ୍ର ଟିମ୍ ଆନ୍ଧ୍ର ଯାଇଥିଲା । ସେଠାରୁ ଦଲାଲ ସମେତ ଆଶାୟୀଙ୍କୁ ଗିରଫ କରିଛି ।
ସେପଟେ କେଳେଙ୍କାରୀ ସମ୍ପର୍କରେ ଜଣା ପଡ଼ିବା ପରେ ତୁରନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଛି । ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି ନିଯୁକ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।