ଖୋର୍ଦ୍ଧା: ଅନୁଗୁଳ ଏବଂ ଖୋର୍ଦ୍ଧାରେ ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୪ଟି ଅମୂଲ୍ୟ ଜୀବନ ଚାଲିଯାଇଛି । ସେହିପରି ୬ ଜଣ ଗୁରୁତର ହୋଇଛନ୍ତି ।
ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପିଏନ କଲେଜ ଛକ ନିକଟରେ ଏକ ବାଇକ ଓ କଣ୍ଟେନର ମଧ୍ୟରେ ଧକ୍କା ହୋଇଛି । ଫଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏକ ପଲସର ବାଇକରେ ୩ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।
ଅନ୍ୟପକ୍ଷରେ ବ୍ରହ୍ମପୁରରୁ ମା’ ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ । ୨ ଜଣ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ସୁପ୍ରକାଶ ସେଠୀଙ୍କ ପରିବାର ଦଶହରା ପାଇଁ ମା’ ତାରତାରିଣୀଙ୍କ ଦର୍ଶନ କରିବାକୁ ଯାଇଥିଲେ । ଫେରୁଥିବାବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ ତାଙ୍କ କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ କାରରେ ଥିବା ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ, ୩ ମାସର ଶିଶୁ କନ୍ୟା ଏବଂ ସୁପ୍ରକାଶ ସେଠୀ, ତାଙ୍କ ସ୍ତ୍ରୀ ସୁଜାତା ସେଠୀ, ଦୁଇ ପିଲା ମନୁ ସେଠୀ ଓ ସ୍ୱସ୍ତିକ ସେଠୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ମୃତ୍ୟୁଞ୍ଜୟଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ । କିନ୍ତୁ ଅଧା ରାସ୍ତାରେ ମୃତ୍ୟୁଞ୍ଜୟଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା । ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି ।