ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ରାଜନୀତି ତୀବ୍ର ହୋଇଛି । କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇ ତଦନ୍ତ କରିବାକୁ ଦାବି କରିଛି ଯୁବ ବିଜେଡ଼ି । ଯଦି ସିବିଆଇ ତଦନ୍ତ ନ ହୁଏ ତେବେ ଆଗାମୀ ଦିନରେ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଚେତାବନୀ ଦେଇଛନ୍ତି ।
ଚିନ୍ମୟ ସାହୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ଏସ୍ଆଇ ପରୀକ୍ଷା ଜାଲିଆତି ଫିଲ୍ମ ଭଳି । ଆଶାୟୀ ପରୀକ୍ଷାର୍ଥୀ ଏବଂ ପରିବାର ଲୋକ ହତାଶ ହୋଇଛନ୍ତି । ଏଥିରେ ବଡ଼ ବଡ଼ିଆଙ୍କ ହାତ ଥିବା ଚିନ୍ମୟ ସନ୍ଦେହ କରିଛନ୍ତି । ନିଜେ ସରକାର ଏଥିରେ ସାମିଲ ଥାଇ କିପରି କ୍ରାଇମବ୍ରାଞ୍ଚ ତଦନ୍ତରୁ ଫଳ ବାହାରିବ ବୋଲି ପ୍ରଶ୍ନ କରିଛି ବିଜେଡ଼ି । ଅନ୍ତରାଜ୍ୟ ସଂସ୍ଥା ଏଥିରେ ସାମିଲ ଥିବାରୁ ସିବିଆଇ ତଦନ୍ତ କରାଯିବା ଉଚିତ । ପାର୍ବଣ ସରିଲେ ବିଜୁ ଯୁବ, ଛାତ୍ର, ମହିଳା ଦଳ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ ଓ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ସଭାପତି ଚିନ୍ମୟ ସାହୁ ।
ପ୍ରକାଶ ଯୋଗ୍ୟ, ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ଉତ୍ତର ପ୍ରସ୍ତୁତି ପାଇଁ ଆନ୍ଧ୍ର ନିଆଯାଇଥିଲା । ପ୍ରତ୍ୟେକ ପରୀକ୍ଷାର୍ଥୀ ପିଛା ୨୦ରୁ ୨୫ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ଦୁଇ ଦଫାରେ ଟଙ୍କା ଦିଆଯାଇଥାଆନ୍ତା । ପ୍ରଥମେ ସମସ୍ତେ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ପରୀକ୍ଷା ପରେ ଆଉ ବାକି ୧୫ ଲକ୍ଷ ଟଙ୍କା ଦଲାଲଙ୍କୁ ଦେଇ ଥାଆନ୍ତେ । ପ୍ରାୟ ୨୯ କୋଟି ଟଙ୍କାର କାରବାର ହେଉଥିଲା । କିନ୍ତୁ ଏହି ଖବର ପୋଲିସ କାନରେ ପଡ଼ିଥିଲା । ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକଙ୍କ ନେତୃତ୍ୱରେ ଏକ ଟିମ୍ ସ୍ୱତନ୍ତ୍ର ଟିମ୍ ଆନ୍ଧ୍ର ଯାଇଥିଲା । ସେଠାରୁ ଦଲାଲ ସମେତ ଆଶାୟୀଙ୍କୁ ଗିରଫ କରିଛି ।