ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜିବ ଦଶହରା। ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏହା ଅକ୍ଟୋବର ୦୨ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି।
ଆଜି ଉତ୍ତର ଆଣ୍ଡାମାନ ଅଞ୍ଚଳକୁ ପ୍ରବେଶ କରିବ ଘୂର୍ଣ୍ଣବଳୟ। ଆସନ୍ତାକାଲି ଲଘୁଚାପ ଅଧିକ ଘନିଭୂତ ହେବ। ଏହା ୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ଦେଇ ଗତି କରିବ। ଫଳରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ଅକ୍ଟୋବର ୨ ତାରିଖରେ ୫ ଜିଲ୍ଲାକୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡ଼ା ସହ କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ବିଜୁଳି ଘଡଘଡି ଏବଂ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ସେହିଭଳି ଆସନ୍ତା ୨ ତାରିଖରେ କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ ସହ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଏବଂ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା କାଲି ମାଲକାନଗିରି ସହ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।