ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାକୁ ଜାଳି ଦେବା ଘଟଣାରେ ପୋଲିସର ସ୍ପେଶାଲ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି । ଖୋଦ୍ ଏସପି ପିନାକ ମିଶ୍ର ଓ ଅତିରିକ୍ତ ଏସପି ଦେବାଶିଷ ମିଶ୍ର ଘଟଣା ସ୍ଥଳରେ ପହଁଚିଛନ୍ତି । ସ୍ଥାନୀୟ ଲୋକ, ଉଦ୍ଧାର କରିଥିବା ଲୋକଙ୍କୁ ପୋଲିସ ପଚରା ଉଚରା କରିଛି । ନାବାଳିକା ଜଣକ ଅଧାରୁ ପାଠ ପଢ଼ା ଛାଡ଼ିଥିଲେ । ତେବେ ଘଟଣାରେ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଚିହ୍ନଟ କରାଯାଇ ନାହିଁ । ତଦନ୍ତ ବିଷୟରେ ଅଧିକ ସୂଚନା ଦେବାକୁ ଏସପି ମନା କରିଛନ୍ତି ।
ଏହା ଏକ ଅତ୍ୟନ୍ତ ଅଭାବନୀୟ ଘଟଣା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାବି ଖୁରାନିଆ । ତୁରନ୍ତ ଦୋଷୀମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିଜିପି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ନୂଆଗୋପାଳପୁର ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ବହି ଦେବାକୁ ଆସି ଘରକୁ ଫେରୁଥିଲେ । ଏହି ସମୟରେ ୩-୪ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଉଠାଇ ନେଇଥିଲେ । ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ହରରିପୁର-ବଳଙ୍ଗା ରାସ୍ତା ଉପରେ ନାବାଳିକାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା । ଦୁଃଖୀଶ୍ୟାମ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ପଡ଼ି ବଞ୍ଚାଇବାକୁ ଗୁହାରୀ କରିଥିଲେ । ଏହା ପରେ ଉକ୍ତ ଘରର ଲୋକେ ଏବଂ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିଛି ଦୁର୍ବୃତ୍ତ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି ନାବାଳିକା ଜଣକ ଉକ୍ତ ଘର ଲୋକଙ୍କୁ କହିଥିଲେ ।
ବର୍ତ୍ତମାନ ଏମ୍ସର ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କ ଶରୀର ୬୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି । ପୀଡ଼ିତାଙ୍କର ସମସ୍ତ ଚିକିତ୍ସ ଖର୍ଚ୍ଚ ବହନ କରିବେ ଏବଂ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି ।