ବାଲେଶ୍ୱର: ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ଉପରେ ଲୁଟ ପାଇଁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଯୁବକଙ୍କ ଉପରେ ଆକ୍ରମଣ କରି ଟଙ୍କା, ମୋବାଇଲ୍ ଲୁଟ କରି ନେଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ବାଣିଦା ଗାଁର ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଣିଦା ଗାଁର ଯୁବକ କାମ ସାରି ଘରକୁ ଫେରୁଥିବା ସମୟରେ ଜମାଳପୁର ବାଇପାସ୍ ନିକଟରେ ତାଙ୍କ ଉପରକୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି । ଲୁଟ ପରେ ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲା । ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧର କରି ଚିକିତ୍ସା ପାଇଁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହା ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଯୁବକଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏନେଇ ଜଳେଶ୍ବର ଥାନା ପୋଲିସ ଖବର ପାଇ, ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।