କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ କାର ଭିତରେ ଦୁଷ୍କର୍ମ କରିବା ସହିତ ମାଡ ମାରି ଫେରାର ହୋଇଯାଇଛି ଅଭିଯୁକ୍ତ । ଏହି ଅଭାବନୀୟ ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ପୋଲିସ ପୀଡ଼ିତାଙ୍କୁ ପ୍ରଥମେ ଦାରିଙ୍ଗବାଡି ଓ ପରେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଦୁଇଟି ସ୍ଵତନ୍ତ୍ର ଟିମ ଗଠନ କରି ଲଗାତାର ଚଢାଉ କରୁଛି ପୋଲିସ ।
ପୋଲିସ ସୂଚନା ଅନୁସାରେ ଗଣେଶ ପୂଜା ଭସାଣୀ ଦେଖିବାକୁ ଆସି ଫେରିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ କାର ଭିତରେ ଜୋର୍ ଜବରଦସ୍ତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଜଣକ ବିବାହିତା ହୋଇଥିବା ବେଳେ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି । ନାବାଳିକ ଜଣକ ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପକ୍ସୋ ଆଇନ୍ ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଏସପି ବି ସି ହରିଶ୍ । ତେବେ ନାବାଳିକା ଛାତ୍ରୀ ଜଣକ କିଛି ଦିନ ପୂର୍ବେ ଦାରିଙ୍ଗବାଡ଼ି ଅଞ୍ଚଳରେ ରହୁଥିବା ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ । ହେଲେ ଗତ ୫ ତାରିଖ ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ଗଣେଶ ପୂଜା ବିସର୍ଜନ ଭସାଣୀ ଦେଖିବାକୁ ଆସି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଯୁବକ ଜଣକ ଜବରଦସ୍ତ ତାଙ୍କୁ କାର୍ ଭିତରକୁ ଟେକି ନେଇଥିଲା ଏବଂ ଯୋର୍ ଜବରଦସ୍ତ ଦୁଷ୍କର୍ମ କରିବା ସହ ମାଡ଼ ମାରି ନାବାଳିକାଙ୍କ ଭଉଣୀ ଘର ନିକଟରେ ଛାଡ଼ି ଚାଲିଯାଇଥିଲା । ପିଡ଼ିତା ଆହତ ଅଛନ୍ତି ଓ ଚିକିତ୍ସିତ ଅଛନ୍ତି ବୋଲି ପୋଲିସ କହିଛି। ଚଢାଉ ଚାଲିଛି ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି ।