ଭୁବନେଶ୍ୱର: ଦୀର୍ଘ ଦିନର ନୀରବତା ପରେ ଏବେ ସୋସିଆଲ ମିଡ଼ିଆରେ ମୁହଁ ଖୋଲିଛନ୍ତି ଅସନ୍ତୋଷ ଛାଡ଼ିଛନ୍ତି ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର । ଆଜି (୦୮ ସେପ୍ଟେମ୍ବର)ରେ ତାଙ୍କ ଫେସବୁକରେ ହୋଇଥିବା ଏକ ପୋଷ୍ଟରେ ସେ ଅନ୍ଧ୍ର ଧୃତରାଷ୍ଟ୍ରର ଉଦାହରଣ ଦେଇ କଡ଼ା ଆକ୍ଷେପ କରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ସେ ସଫାସଫା କହିଛନ୍ତି।
ଏହା ପୂର୍ବରୁ ଗତକାଲି ମଧ୍ୟ ଏକ ଭିଡ଼ିଓରେ ସେ କହିଥିଲେ, ମହିଳାଙ୍କୁ ଅପମାନିତ କରିବା ବ୍ୟକ୍ତି ମହିଳା ସଶକ୍ତୀକରଣ ସ୍ଲୋଗାନ ଦେଲେ ଜନେ ହସନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟାୟର ଶିଡ଼ି ଚଢ଼ୁଥିବା ବ୍ୟକ୍ତି ନ୍ୟାୟମୂର୍ତ୍ତି ପାଇଁ ଚେଷ୍ଟା କରନ୍ତି ଯେଉଁଥିପାଇଁ ଜନେ ହସନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରୀମୟୀଙ୍କ ଏହି ଆକ୍ଷେପ କାହା ଆଡ଼କୁ? କାହାକୁ ଇଙ୍ଗିତ କରି ସେ ଏହି ପୋଷ୍ଟ କରିଛନ୍ତି? ଦଳର ସୁପ୍ରିମୋ ନବୀନ ପଟ୍ଟାନାୟକଙ୍କୁ ଟାଗେର୍ଟ କରି ସେ ଏଭଳି ପୋଷ୍ଟ କରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
https://www.facebook.com/share/r/1BYrw5WXoE/