ଭୁୁବନେଶ୍ୱର: ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଓଡିଶା ରାଜନୀତି ପାଇଁ ଆସିଛି ବଡ ଖବର । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି । ଏ ନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ଏହି ଖବର ଏମିତି ସମୟରେ ଆସିଛି ଯେତେବେଳେ ନବୀନ ପଟ୍ଟନାୟକ ଦିଲ୍ଲୀରେ ଅଛନ୍ତି ।
ବିଜେଡି କାହାକୁ ସମର୍ଥନ ଦେବ ଏନଡିଏ ପ୍ରାର୍ଥୀ ନା ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ? ସେ ପ୍ରଶ୍ନ ରାଜ୍ୟଠୁ ନେଇ ଜାତୀୟସ୍ତରୀୟ ରାଜନୀତିରେ ଉଙ୍କି ମାରିଥିଲା । କାରଣ ବିଜେଡି ୨୦୧୪ ପରଠୁ ସର୍ବଦା ବିଜେପି ସହ ରହି ଆସିଛି । ୨୦୨୪ ପର୍ଯ୍ୟନ୍ତ ବିଜେଡି ରାଜ୍ୟର ଶାସନ ଗାଦିରେ ଥିଲା । ତେଣୁ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସହ ଭଲ ସଂପର୍କ ରଖିବା ଏବଂ ବିଧେୟକରେ ସମର୍ଥନ ଦେବା ରଣନୀତି ବୁଝା ପଡୁଛି ।
ଏହା ପୂର୍ବରୁ ୱକଫ ବିଲ୍ ଉପରେ ଭୋଟିଂ ପାଇଁ ବିଜେଡି ନିଜର ସାଂସଦଙ୍କ ବିବେକ ଉପରେ ଛାଡିଥିଲା । ଏହାକୁ ନେଇ ବେଶ ଅପବାଦ ସହିଥିଲା ଦଳ । ତେଣୁ ଏହି ବିବେକାନୁମୋଦିତ ଭୋଟ୍ କଥାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଚାଲିଥିଲା। କାରଣ ବିଜେଡି ଏକ ବିଚିତ୍ର ଦଳ ଏବଂ ତାର ମୁଖିଆ ମଧ୍ୟ ବଡ ବିଚିତ୍ର ରାଜନୈତିକ ବ୍ୟକ୍ତି । ଆଉ ଏବେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇ ବି ବିଜେଡି ଭୋଟିଂରୁ ବିରତ ରହି ପରୋକ୍ଷରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ସଂପ୍ରତି ନବୀନ ପଟ୍ଟନାୟକ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ରଣନୀତି କଣ ରହିବ ଏବଂ ଦଳ କାହାକୁ ସମର୍ଥନ କରିବ ନା ବିରତ ରହିବ ସେ ନେଇ ସାତ ରାଜ୍ୟସଭା ସାଂସଦଙ୍କ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଆଉ ଏହା ହିଁ ନିଷ୍କର୍ସ ବାହାରିଛି ଯେ, ବିଜେଡି ଭୋଟିଂରୁ ବିରତ ରହିବ । ଏମିତି ଅନେକ ବିଧେୟକ ରହିଛି ଯେଉଁଥିରେ ବିଜେଡି ସର୍ବଦା ଏନଡିଏ ସମର୍ଥନରେ ରହି ଆସିଛି । ଆଉ ଏବେ ଗାଦିଚ୍ୟୁତ ହେବା ପରେ ବି ଦଳ ନିଜର ପୁରୁଣା ରଣନୀତି ବଜାୟ ରଖିଛି ।