ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଣଛାତ୍ର ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ବର୍ଷ ବର୍ଷ ଧରି ପାଠ ପଢା ସରିବା ପରେ ବି ହଷ୍ଟେଲ ନ ଛାଡି ଜୋର ଜବରଦସ୍ତ ନିଜ ଅକ୍ତିଆରରେ ରଖିଥିବା ଅଣଛାତ୍ରଙ୍କୁ ଶେଷରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ବିଦା କରାଯାଉଛି। ଏଥିପାଇଁ ଛାତ୍ରାବାସଗୁଡିକରେ ସୋମବାର କମିଶନରେଟ ପୋଲିସ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଥିଲା। ଏହି ଅଭିଯାନରେ ଭିସି, ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସାମିଲ୍ ହୋଇଥିଲେ।
ସୁଚନାଯୋଗ୍ୟ, ଚଢାଉ ବେଳେ ୩ ନମ୍ବର ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍ ଆଲ୍ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି। ଏପରିକି ୨ ନମ୍ବର ହଷ୍ଟେଲର ୨୫ ରୁମ ଏବଂ ୧ ନମ୍ବର ହଷ୍ଟେଲର ୧୯ ରୁମ ସିଲ୍ କରାଯାଇଛି। ୧ ନମ୍ବର ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନକୁ ମଧ୍ୟ ସିଲ୍କରାଯାଇଥିବା ଜଣାପଡିଛି। ଏଣିକି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ପୋଲିସ ଜଗିବେ ବୋଲି ସୂଚନା ରହିଛି । ଆଗକୁ ଆଇ କାର୍ଡ ଦେଖାଇଲେ ଯାଇ ପିଲା ଭିତରକୁ ଯିବେ ବୋଲି ନିଷ୍ପତ୍ତି ହୋଇଛି ।
ବିଶ୍ଵବିଦ୍ୟାଳୟର ଛାତ୍ରାବାସ ୧, ୨, ୩ ଓ ୫ରୁ ଅଣଛାତ୍ରଙ୍କୁ ବିଦା କରାଯିବ । ଏଥିପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୭ ଜଣ ଥାନା ଅଧିକାରୀ, ୧୦ରୁ ଅଧିକ ଏସିପି, ମହିଳା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଅଣଛାତ୍ରଙ୍କୁ ତଡ଼ିବାକୁ ପଦକ୍ଷେପ ନେଇଛି ପ୍ରଶାସନ। ଅଣଛାତ୍ରଙ୍କୁ ତଡ଼ିବା ଲାଗି ପ୍ରତି ହଷ୍ଟେଲରେ ୩ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଇନ୍ ଚାର୍ଜ ଅଫିସର ଅଛନ୍ତି ଜଣେ ଏସିପି । ଅଣଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିବା ବେଳେ ବିଶ୍ଵବିଦ୍ୟାଳୟ ଫାଟକରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କଡ଼ାକଡ଼ି କରିଛି ।
ଉତ୍କଳ ବିଶ୍ୱବିଦ୍ୟାଳୟର ଗୋଟିଏ କି ଦୁଇଟି ରୁମରେ ନୁହେଁ ବରଂ ପାଖାପାଖି ୧୩୦ଟି ରୁମକୁ ନିଜ ଅକ୍ତିଆରରେ ରଖିଥିଲେ ଅଣଛାତ୍ର। ତେବେ ଆଜି ଚଢାଉ ବେଳେ ରୁମ୍ ଭିତରୁ ଆଶ୍ଚର୍ଯ୍ୟକର ସାମଗ୍ରୀ ସବୁ ମିଳିଛି। ହଷ୍ଟେଲ ଭିତରୁ ଜୋମାଟୋ ବ୍ୟାଗ୍ ଠାରୁ ଆରମ୍ଭ କରି ଗ୍ୟାସ କନେକ୍ସନ ସହ ବିଭିନ୍ନ ସମାଗ୍ରୀ ଦେଖିବାକୁ ମିଳିଛି। ରୁମରେ କେହି ହିଟର ଲଗାଇ ରୋଷେଇ କରୁଥିଲା ତ କେହି ପୁଣି ଗ୍ୟାସ କନେକ୍ସନ ବି ନେଇସାରିଥିଲା। ବଡ କଥା ଯେ ଅଧିକ ବିଦ୍ୟୁତ ଖର୍ଚ୍ଚ ପାଇଁ ହିଟର ବ୍ୟବହାର ଏବେ ଏତେ କେହି କରୁନଥିବାବେଳେ ଏହି ଅଣଛାତ୍ରମାନଙ୍କର ଖାତିର ନଥିଲା।