ଭୁବନେଶ୍ୱର: ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ 'ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ' କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ ।
କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି । ଆଶ୍ୱିନ ମାସର ଚାନ୍ଦ୍ରମାସ ପକ୍ଷ ବା କୃଷ୍ଣପକ୍ଷ ପୃଥିବୀପୃଷ୍ଠଟି ମହାଆଳୟରେ ପରିଣତ ହୋଇଥାଏ । ପିତୃ ଓ ଅବିମୁକ୍ତ ପିତୃ ଉଭୟ ଶ୍ରଦ୍ଧା କାମନାରେ ନିଜ ଗୃହରେ ଉପଗତ ହୋଇଥାଆନ୍ତି ।
ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ବ ରହିଥିବା ବେଳେ ଏହି ସମୟରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ୧୫ ଦିନ ପର୍ଯ୍ୟନ୍ତ ନିୟମ ନିଷ୍ଠାରେ ଏହି ପକ୍ଷ ପାଳନ କଲେ ପିତୃ ପୁରୁଷଙ୍କ ପରିବାର ଉପରେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ନିୟମ ନିଷ୍ଠାର ସହ ଏହି ଅପରପକ୍ଷ ବା ପିତୃପକ୍ଷକୁ ପାଳନ କରନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି । ସେହିପରି ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାକୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।
ଏହାସହ ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଯାହା ଦ୍ୱାରା ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହୋଇଥାଏ । ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କର୍ମ ବି ହୁଏ । ଏହି ୧୪ ଦିନ ଭିତରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।