ଭୁବନେଶ୍ୱର : ଭାରତୀୟ ହକି ଦଳ ଚତୁର୍ଥ ଏସିଆ କପ ଟାଇଟେଲ ହାତେଇବା ପରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ା ମନ୍ତ୍ରୀ। ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ ଓ ଶିଲାନନ୍ଦ ଲାକ୍ରାଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ମନ୍ତ୍ରୀ କହିଛନ୍ତି କୋରିଆକୁ ହରାଇ ଏସିଆ କପର ଟାଇଟଲ ଜିଣିଥିବା ଭାରତୀୟ ହକି ଦଳକୁ ଅନେକ ଅନେକ ଶୁଭେଚ୍ଛା । ଏହି ବିଜୟ ସମଗ୍ର ଭାରତ ପାଇଁ ଖୁସି ଆଣିବା ସହିତ ଆଗାମୀ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି । ମୁଖ୍ଯମନ୍ତ୍ରୀଙ୍କ ତରଫରୁ ମଧ୍ଯ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଭାରତ ଚାମ୍ପିୟନ୍ । ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଦୀର୍ଘ ୮ ବର୍ଷ ପରେ ଏସିଆ କପ୍ ହାତେଇଛି ଭାରତ । ଏଥିସହ ୨୦୨୬ରେ ହେବାକୁ ଥିବା ଏଫଆଇଏଚ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିହାରରେ ପ୍ରଥମଥର ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଆରମ୍ଭରୁ ଟାଇଟଲ୍ ଦାବିଦାର ହେବ ବୋଲି ଆଶା ରହିଥିଲା। ଆଉ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଭାରତ ଚାମ୍ପିୟନ୍ ହୋଇଛି । ପୁଲ ଷ୍ଟେଜରେ ଭାରତ ତା’ର ତିନୋଟି ଯାକ ମ୍ୟାଚ୍ ଜିତିଥିଲା । ସୁପର-ଫୋରରେ ୩ ରୁ ୨ଟି ବିଜୟ ଏବଂ ଗୋଟିଏ ମ୍ୟାଚ୍ ଡ୍ର’ କରିଥିଲା । ଫାଇନାଲରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମ ମିନିଟରେ ଭାରତ ଗୋଲ୍ ଦେଇ ୧-୦ରେ ଆଗୁଆ ହୋଇଥିଲା । ଦ୍ବିତୀୟାର୍ଦ୍ଧରେ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ ଦିଲପ୍ରୀତ ସିଂ । ୪୫ତମ ମିନିଟରେ ଦିଲପ୍ରୀତ ଆଉଏକ ଗୋଲ୍ ଦେଇଥିବା ବେଳେ ୫୦ତମ ମିନିଟରେ ଓଡ଼ିଆ ପୁଅ ଅମିତ ରୋହିଦାସ ଭାରତ ପାଇଁ ଚତୁର୍ଥ ଗୋଲ୍ ସ୍କୋର୍ କରିଥିଲେ । ୫୭ତମ ମିନିଟରେ ଦକ୍ଷିଣ କୋରିଆ ଗୋଟିଏ ମାତ୍ର ଗୋଲ୍ କରିଥିଲା ।