ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ଅଣଛାତ୍ର ବିଦା ହେବେ । ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଶ୍ବବିଦ୍ୟାଳୟର ୧,୨,୩ ଓ ୫ ନମ୍ବର ହଷ୍ଟେଲ ଉପରେ ଯାଞ୍ଚ କରାଯାଇ ଅଣଛାତ୍ରଙ୍କୁ ବାହାର କରାଯାଉଛି । ବର୍ଷ ବର୍ଷ ଧରି ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଆଜି ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ଦିନ ୧.୩୦ ପର୍ଯ୍ୟନ୍ତ ପିଜି କାଉନ୍ସିଲ୍ ପକ୍ଷରୁ ରଦ୍ଦ କରାଯାଇଛି । ପୋଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହଷ୍ଟେଲରେ ଅଣଛାତ୍ର ଯାଞ୍ଚ ପାଇଁ ୫ ଜଣ ACP, ୪ ଜଣ IIC ଓ ୧୩ SI ଅଧିକାରୀ ସାମିଲ ଥିବା ସୂଚନା ମିଳିଛି ।
ଅଣଛାତ୍ରଙ୍କୁ ଚିହ୍ନଟ ପାଇଁ ହଷ୍ଟେଲରେ ଯାଞ୍ଚ ଆରମ୍ଭ କରାଯାଇଛି । ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବନ୍ଦ ହଷ୍ଟେଲ ରୁମର ତାଲା ଭଙ୍ଗାଯାଇ ଅଣଛାତ୍ରଙ୍କ ଜିନିଷକୁ ବାହାରକୁ ଅଣାଯାଇଛି । ବନ୍ଦ ହଷ୍ଟେଲ ରୁମର ତାଲା ଭାଙ୍ଗି ଜିନିଷପତ୍ର ବାହାରକୁ କର୍ତ୍ତୃପକ୍ଷ ଆଣିଛନ୍ତି । ହଷ୍ଟେଲ ପରିସରରେ ଅଣଛାତ୍ରଙ୍କ ପାଇଁ ବହୁ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ରୁମଗୁଡିକ ଅଣଛାତ୍ରଙ୍କ କବଜାରେ ଥିବାରୁ ପାଠ ପଢ଼ୁଥିବା ଛାତ୍ରମାନେ ହଷ୍ଟେଲରେ ରହିବା ପାଇଁ ବଞ୍ଚିତ ହେଉଛନ୍ତି । ଅଣଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବା ପାଇଁ ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ କମିସନରେଟ୍ ପୋଲିସ ପକ୍ଷରୁ ସେମାନଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି ।