କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁର ରାଜରାସ୍ତାରେ ଆଜି ତୀବ୍ର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଜେନ-ଜେଡ ଯୁବକ ଓ ଯୁବତୀ ସଡକକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀ ନେପାଳର ସଂସଦ ଭିତରକୁ ଧସେଇ ପଶିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଓ ପାଣି ମାଡ କରିବାକୁ ପଡିଛି ।
ଏହି ପ୍ରଦର୍ଶନକାରୀ ନେପାଳରେ ସୋସିଆଲ ମିଡିଆ ବ୍ୟାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାକୁ ଦୃଷ୍ଟିରେ କାଠମାଣ୍ଡୁରେ କର୍ଫ୍ୟୁ ଲଗାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିକ୍ଷୋଭକାରୀ ସଂସଦର ଗେଟ୍ ନମ୍ବର-୨ ନିକଟରେ ନିଆଁ ଲଗାଇ ଦେଇଛନ୍ତି । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । କାଠମାଣ୍ଡୁରେ ଜେନ-ଜେଡ ବିରୋଧର ଉଗ୍ର ରୂପ ପରେ ନେପାଳୀ ସେନାକୁ ମୁତୟନ କରିବାକୁ ଆଦେଶ ଦିଆଯାଇଛି । ନେପାଳ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ବୈଠକ ଡକାଇଛି । ପୋଲିସ ସୋମବାର ରାତି ୧୦ଟା ଫର୍ଯ୍ୟନ୍ତ କର୍ଫ୍ୟୂ ଲାଗୁ କରିଛି ।
ଏହା ଅନୁସାରେ ଚାରି ଜିଲ୍ଲାରେ କୌଣସି ପ୍ରକାରର ପ୍ରବେଶ କିମ୍ବା ବାହାରକୁ ଯିବା ମନା । ସଭା ସମିତି, ଶୋଭାଯାତ୍ରା, ପ୍ରଦର୍ଶନ, ବୈଠକ କିମ୍ବା ଘେରବାନ୍ଦୀ ଉପରେ କଟକଣା ଲଗାଯାଇଛି । ବିରୋଧ ପ୍ରଦର୍ଶନ ସମୟରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି ।
ନେପାଳରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସରକାରଙ୍କ ବିରୋଧରେ କାଠମାଣ୍ଡୁର ବିଭିନ୍ନ ସହରରେ ଜେନ-ଜେଡ ଆନ୍ଦୋଳନ ଆରମ୍ଭ ହୋଇଛି । ଦେଶର ନୂଆ ଯୁବ ପିଢିଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟାନ କରାଯିବାଠୁ ନେଇ ଦୁର୍ନୀତି ବିରୋଧରେ ପ୍ରଦର୍ଶନ କରାଯାଉଛି ।