କାଠମାଣ୍ଡୁ: ସୋସିଆଲ ମିଡିଆ ଉପରେ ଲାଗିଥିବା ବ୍ୟାନ ପ୍ରତିବାଦରେ ନେପାଳର କାଠମାଣ୍ଡୁରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟି ସାରିଛି। ତଥାପି ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ପ୍ରଦର୍ଶନକାରୀଙ୍କ ଆଗରେ ମୁଣ୍ଡ ନୁଆଇଁବାକୁ ପ୍ରସ୍ତୁତ। ଦେଶରେ ସୋସିଆଲ ମିଡିଆ ଉପରେ ଲାଗିଥିବା ପ୍ରତିବନ୍ଧକ ଉଠାଇବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। କ୍ୟାବିନେଟ ବୈଠକରେ ଓଲି କହିଛନ୍ତି ଯେ ସରକାରଙ୍କ ନିଷ୍ପତ୍ତି ସଠିକ।
କ୍ୟାବିନେଟ ବୈଠକରେ ସେ ସମସ୍ତ ମନ୍ତ୍ରୀଙ୍କୁ ଏହି ନିଷ୍ପତ୍ତି ସପକ୍ଷରେ ପ୍ରତିକ୍ରିୟା ଦେବାକୁ କହିଛନ୍ତି। ଓଲି ସରକାରରେ ଥିବା ନେପାଳୀ କଂଗ୍ରେସ ମନ୍ତ୍ରୀମାନେ ସାରା ଦେଶରେ ସୋସିଆଲ ମିଡିଆ ଉପରେ ଲଗାଯାଇଥିବା କଟକଣା ହଟାଇବା ପାଇଁ ଦାବି କରିଥିଲେ। ଏହି ଦାବି ଉପରେ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଯେ ସରକାର ଦୁଷ୍କର୍ମକାରୀଙ୍କ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏବଂ ପ୍ରତିବନ୍ଧକ ଉଠାଇବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଏହି ଜିଦଖୋର ମନୋଭାବରେ କ୍ଷୁବ୍ଧ ହୋଇ କଂଗ୍ରେସ ମନ୍ତ୍ରୀମାନେ କ୍ୟାବିନେଟ ବୈଠକରୁ ଓହରି ଯାଇଛନ୍ତି।
କ୍ୟାବିନେଟ ବୈଠକ ପରେ ତୁରନ୍ତ, ଶାସକ ଦଳ ସିପିଏନ-ୟୁଏମଏଲ ଏବଂ ନେପାଳୀ କଂଗ୍ରେସର ଶୀର୍ଷ ନେତାମାନଙ୍କର ଏକ ବୈଠକ ବାଲୁୱାତାରସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, କଂଗ୍ରେସ ସଭାପତି ଶେର ବାହାଦୁର ଦେଉବା ଏବଂ ଇସ୍ତଫା ଦେଇଥିବା ଗୃହମନ୍ତ୍ରୀ ରମେଶ ଲେଖକଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଯୋଗ ଦେଇଥିଲେ। ଜଣେ ମନ୍ତ୍ରୀ ନେପାଳ ପ୍ରେସକୁ କହିଛନ୍ତି ଯେ ବୈଠକରେ ସୋସିଆଲ ମିଡିଆକୁ ପୁନଃ ସକ୍ରିୟ କରିବା ଉପରେ ଆଲୋଚନା ପରେ ଏକ ନିଷ୍କର୍ଷ ବାହାରିବ। ସେ କହିଛନ୍ତି ଯେ ଗତ କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
ପ୍ରତିବାଦର ତଦନ୍ତ କରାଯିବ
ଜେନ-ଜେଡ ପ୍ରତିବାଦରୁ ସୃଷ୍ଟି ହୋଇଥିବା ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଣେ ମନ୍ତ୍ରୀ କହିଛନ୍ତି ଯେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୫ ଦିନର ସମୟସୀମା ସହିତ ଏକ ତଦନ୍ତ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, "ତଦନ୍ତ କମିଟିର ସଂଯୋଜକ ଏବଂ ସଦସ୍ୟ କିଏ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସମ୍ଭବତଃ ଆସନ୍ତାକାଲି ସୁଦ୍ଧା ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।"
ଗୃହମନ୍ତ୍ରୀ ଦେଲେ ଇସ୍ତଫା
ଜେନ-ଜେଡ ପ୍ରତିବାଦର ନୈତିକ ଦାୟୀ କରି ନେଇ ଗୃହମନ୍ତ୍ରୀ ରମେଶ ଲେଖକ ଇସ୍ତଫା ଦେଇଛନ୍ତି। ଜଣେ ମନ୍ତ୍ରୀ କହିଛନ୍ତି ଯେ ସେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ସୋମବାର ଜେନେରାଲ-ଜେଡ ପ୍ରତିବାଦରେ ହିଂସାତ୍ମକ ରୂପ ନେଇଥିଲା। ଏହି ପ୍ରଦର୍ଶନରେ ଏ ପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲେଖକ ଏହି ଘଟଣାର ନୈତିକ ଦାୟିତ୍ୱ ନେବା ଉଚିତ ବୋଲି କହି ଇସ୍ତଫା ଦେଇଥିଲେ। ପୂର୍ବରୁ, ସେ ଏକ ଦଳୀୟ ବୈଠକରେ କହିଥିଲେ ଯେ ସେ ନୈତିକତା ଦୃଷ୍ଟିରୁ ଏହି ପଦବୀରେ ରହିବେ ନାହିଁ।