ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କ୍ଷମତାକୁ ଫେରିବାର ୭ ମାସ ପରେ ଆମେରିକାରେ ଚାକିରି କ୍ଷେତ୍ରରେ ଅବସ୍ଥା ଦୁର୍ବଳ ହୋଇ ପଡିଛି । ନୂଆ ନିଯୁକ୍ତି ସୃଷ୍ଟି ହେବା ପ୍ରାୟତଃ ଠପ୍ ହୋଇ ଯାଇଛି । ଦରବୃଦ୍ଧି ପୁଣି ଥରେ ବଢିବାରେ ଲାଗିଛି । ଶୁକ୍ରବାର ଜାରି ଅଗଷ୍ଟ ମାସର ଜବ୍ସ ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ଏହି ମାସରେ କେବଳ ୨୨ ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇ ପାରିଛି, ଯାହା ଆଶାଠୁ ବହୁତ କମ । ଏହା ସହିତ ବେରୋଜଗାରୀ ହାର ୪.୩ ପ୍ରତିଶତରେ ପହଞ୍ଚି ଯାଇଛି । ଏହା ୪ ବର୍ଷରେ ସର୍ବାଧିକ । ଟ୍ରମ୍ପଙ୍କ ଦ୍ୱାରା ଭାରତ ସମେତ ଅନେକ ଦେଶ ଉପରେ ଶୁଳ୍କ ଲଗାଇବା ପରେ ଏହି ଖବର ସାମ୍ନାକୁ ଆସିଛି ।
ଋିପୋର୍ଟ ମୁତାବକ, ଜୁନରେ ଆମେରିକାରେ ୧୩ ହଜାର କର୍ମଚାରୀ ଚାକିରିରୁ ଛଟେଇ ହୋଇଥିଲେ, ଯାହା ୨୦୨୦ ଡିସେମ୍ବର ପରେ ବହୁତ ବଡ ହ୍ରାସ । ଫ୍ୟାକ୍ଟ୍ରି ଓ ନିର୍ମାଣ କ୍ଷେତ୍ରରେ ନିଯୁକ୍ତିରେ ହ୍ରାସ ଦେଖିବାକୁ ମିଳିଛି । ଏପ୍ରିଲରେ ଟ୍ରମ୍ପ କହିଥିଲେ ତାଙ୍କର ଟାରିଫ ନୀତି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ନିର୍ମାଣ କ୍ଷେତ୍ର ପୁଣି ଥରେ ଟ୍ରାକକୁ ଫେରିବ । ମାତ୍ର ଓଲଟା ମ୍ୟାନୁଫେକଚରିଂରେ ୪୨ ହଜାର ଏବଂ ନିର୍ମାଣରେ ୮ ହଜାର ନିଯୁକ୍ତି ହ୍ରାସ ପାଇଛି । ଟ୍ରମ୍ପ ଦାବି କରିଥିଲେ ଯେ, ତାଙ୍କ ନୀତି ଆମେରିକାର ଅର୍ଥବ୍ୟବସ୍ଥାକୁ ଉପରକୁ ନେଇଯିବ । ମାତ୍ର ବାସ୍ତବରେ ଅର୍ଥବ୍ୟବସ୍ଥା ଧିମା ହୋଇ ଯାଇଛି । କେବଳ ଏତିକି ନୁହେଁ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ମଧ୍ୟ ୧୨ ହଜାର ନିଯୁକ୍ତି କମ ହୋଇଛି ।
ଦରବୃଦ୍ଧି ବଢାଇଲା ସରକାରଙ୍କ ଚିନ୍ତା
ଟ୍ରମ୍ପ ଶପଥ ନେବାର ପ୍ରଥମ ଦିନରେ କହିଥିଲେ ଯେ, ଦରବୃଦ୍ଧି ହ୍ରାସ ହେବା ସହ ବିଜୁଳି ଦର ଅଧା ହୋଇଯିବ । ହେଲେ ଏପ୍ରିଲରେ ୨.୩ ପ୍ରତିଶତର ବାର୍ଷିକ ମହଙ୍ଗା ଦର ଜୁଲାଇରେ ବଢି ୨.୭ ପ୍ରତିଶତରେ ପହଞ୍ଚିଛି । ବିଜୁଳି ବିଲ୍ ମଧ୍ୟ ଚଳିତ ବର୍ଷ ୪.୬ ପ୍ରତିଶତ ବୃଦ୍ଧି ପାଇଛି । ଟ୍ରମ୍ପଙ୍କ ଟାରିଫ ପଲିସି ଅନେକ କମ୍ପାନିକୁ ସାମଗ୍ରୀର ଦର ବଢାଇବା ପାଇଁ ବିବଶ କରିଛି । ଟ୍ରମ୍ପଙ୍କ ଖରାପ ନୀତି ପାଇଁ ଏମିତି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ଫେଡେରାଲ ରିଜର୍ଭର ଚେୟାରମ୍ୟାନ ଜେରୋମ ପାୱେଲ । ତାଙ୍କ କହିବା କଥା ଯଦି ସୁଧ ହାର କମ କରାଯାଇଥାନ୍ତା ତେବେ ନିଯୁକ୍ତି ବଢିଥାନ୍ତା ।
Also read: