ନୂଆଦିଲ୍ଲୀ: ଘାତକ ‘ବ୍ରେନ୍ ଇଟିଂ ଆମିବା’ କେରଳରେ ପୁଣି ଜଣଙ୍କ ଜୀବନ ନେଇଛି । ଏହି ରୋଗରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତି ସୋମବାର ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ରାଥେଶ (୪୫) ।
ରାଥେଶ କେରଳର କୋଝିକୋଡ଼ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ (କେଏମସିଏଚ୍)ରେ ଭର୍ତ୍ତି ହୋଇଥିଲେ । ସେ ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ । ମେଡ଼ିକାଲରେ ଭର୍ତ୍ତି ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିନଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ପ୍ରାଣ ହରାଇଛନ୍ତି ।
ଏବେବି ଅନ୍ୟ ଜଣେ ବ୍ୟକ୍ତିଙ୍କର କେଏମସିଏଚ୍ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଚଳିତ ବର୍ଷ କେରଳରେ ମୋଟ ୪୨ ମାମଲା ସାମ୍ନାକୁ ଆସିଛି । ଗତ ମାସରେ ମଧ୍ୟ କେରଳରେ ବ୍ରେନ୍ ଇଟିଙ୍ଗ ଆମିବା ଆକ୍ରାନ୍ତରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ଜଣେ ୩ ମାସର ନବଜାତକ ମଧ୍ୟ ଥିଲା । ଆଜିର ଘଟଣାକୁ ମିଶାଇ ମୃତ୍ୟୁ ସଂଖ୍ୟା ୭ରେ ପହଁଚିଛି । କେବଳ କୋଝିଗଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଗତ ବର୍ଷ କେରଳରେ ୩୬ଟି ମାମଲା ରିପୋର୍ଟ ହୋଇଥିଲା, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ।
କ’ଣ ଏହି ‘ବ୍ରେନ୍ ଇଟିଂ ଆମିବା’ ?
ଏହି ଘାତକ ପରଜୀବୀକୁ ବୈଜ୍ଞାନିକ ଭାଷାରେ ନିଗ୍ଲେରିଆ ଫାଉଲେରି (Naegleria fowleri) ବୋଲି କୁହାଯାଏ । ଏହା ପାଣିରେ ଥିବା ଏକ ସୂକ୍ଷ୍ମଜୀବ, ଯାହା ମନୁଷ୍ୟଙ୍କ ମସ୍ତିଷ୍କକୁ ସଂକ୍ରମିତ କରିଥାଏ । ଏହା ଆମିବିକ୍ ମେନିଙ୍ଗୋଇନସେଫାଲାଇଟିସ୍ (PAM) ସୃଷ୍ଟି କରେ।
ନିଗ୍ଲେରିଆ ଫାଉଲେରି ଏକ ଫ୍ରି-ଲିଭିଂ ଆମିବା, ଯାହା ସାଧାରଣତଃ ଗରମ ପାଣି, ପୋଖରୀ, ହ୍ରଦ, କିମ୍ବା ଖରାପ ରକ୍ଷଣାବେକ୍ଷଣ ହୋଇଥିବା ସୁଇମିଂ ପୁଲରେ ମିଳିଥାଏ । ଏହା ନାକ ଦ୍ୱାରା ପ୍ରବେଶ କରି ଧୀରେ ଧୀରେ ସ୍ନାୟୁ ପଥରେ ଗଲାପରେ ମସ୍ତିଷ୍କକୁ ସଂକ୍ରମିତ କରେ । ଯାହା ଫଳରେ ଲୋକଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ୍ । ଏହା ଅତ୍ୟନ୍ତ ମାରାତ୍ମକ । ଭାରତ ବ୍ୟତୀତ, ୨୦ଟି ଦେଶରେ ଏହି ରୋଗର ଦେଖାଦେଇଛି ।
‘ବ୍ରେନ୍ ଇଟିଂ ଆମିବା’ର ଲକ୍ଷଣ
- ପ୍ରାରମ୍ଭିକ ଲକ୍ଷଣ ହେଉଛି ଥଣ୍ଡା ଓ ଜ୍ୱର ହେବା
- ମୁଣ୍ଡ ବିନ୍ଧା
- ବାନ୍ତି ହେବା
- ସପ୍ତାହକ ପରେ ଏହା ଅଧିକ ଘାତକ ହୋଇଥାଏ