କୋଚି: କେରଳର କୋଚିରୁ ଉଡାଣ ଭରିଥିବା ଇଣ୍ଡିଗୋର ଏକ ବିମାନକୁ ପୁଣି କୋଚିରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଛି । ଏହି ବିମାନ କୋଚିରୁ ଆବୁଧାବି ଯାତ୍ରା କରୁଥିଲା । ତେବେ ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ବିମାନଟି ଅକାଶରେ ଦୁଇ ଘଣ୍ଟାରୁ ଅଧିକ ସମୟ ଉଡାଣ ଭରି ସାରିଥିଲା । ବିମାନରେ ୧୮୦ରୁ ଅଧିକ ଯାତ୍ରୀ ଏବଂ ଚାଳକ ଦଳର ଛଅ ସଦସ୍ୟ ଥିଲେ ।
ତେବେ ଇଣ୍ଡିଗୋ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂଚନା ଅନୁଯାୟୀ ବିମାନ ୬ଇ-୧୪୦୩ ଶୁକ୍ରବାର ରାତି ୧୧ଟା ୧୦ ମିନିଟରେ କୋଚିରୁ ଉଡାଣ ଭରିଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ରାତି ପ୍ରାୟ ୧ଟା ୪୪ ମିନିଟରେ ବିମାନଟି ପୁଣି କୋଚି ବିମାନ ବନ୍ଦରକୁ ଫେରି ଆସିଥିଲା । ପୁଣି ରାତି ପ୍ରାୟ ସାଢେ ୩ଟାରେ ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଆବୁଧାବି ନିଆଗଲା ।
ସୂଚନାଯୋଗ୍ୟ, ଏହାର ଗୋଟିଏ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଇନ୍ଦୋରରେ ଅବତରଣ ସମୟରେ ଏହି ଘଟିଥିଲା । ପାଇଲଟ୍ ତୁରନ୍ତ କଂଟ୍ରୋଲ ରୁମକୁ ପାନ ପାନ କହି ଜରୁରୀକାଳୀନ ସନ୍ଦେଶ ଦେଇଥିଲେ । ସୌଭାଗ୍ୟବଶତଃ ବିମାନଟି ସୁରକ୍ଷିତ ଅବତରଣ କରିଥିଲା ।
Also read: ଟ୍ରମ୍ପଙ୍କ ପରେ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ସହିତ ସମ୍ପର୍କକୁ ନେଇ ଦେଲେ ପ୍ରତିକ୍ରିୟା