ନୂଆଦିଲ୍ଲୀ: ମୁମ୍ବାଇର ଅନନ୍ତ ଚତୁର୍ଦ୍ଦଶୀରେ ଗଣେଶ ବିସର୍ଜନ ସମୟରେ ବିସ୍ଫୋରଣ ଧମକ ଦେବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ଜଣେ ତଥାକଥିତ ଜ୍ୟୋତିଷଙ୍କୁ ଗିରଫ କରିଛି । ନୋଏଡ଼ାରେ ରହୁଥିବା ଅଶ୍ୱିନୀ କୁମାର ସୁପ୍ରା ନାମକ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି । ସେ ବିହାରର ମୂଳ ବାସିନ୍ଦା ଅଟନ୍ତି । ଅଶ୍ୱିନୀ ନିଜକୁ ଜଣେ ଜ୍ୟୋତିଷ ବୋଲି କହୁଥିଲେ।
ଆତଙ୍କବାଦୀ ଆକ୍ରମଣକୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଥିଲା । କ୍ରାଇମବ୍ରାଞ୍ଚ ନୋଏଡାର ସେକ୍ଟର ୭୯ ସିଭିଟେକ୍ ଷ୍ଟାଡିଆରେ ଚଢାଉ କରି ଅଶ୍ୱିନୀଙ୍କୁ ଗିରଫ କରିଛି । ଅଶ୍ୱିନୀଙ୍କୁ ନୋଏଡାରୁ ମୁମ୍ବାଇ ଅଣାଯାଉଛି । ପୋଲିସ ତା ନିକଟରୁ ୭ଟି ମୋବାଇଲ୍ ଫୋନ୍, ୩ଟି ସିମ୍ କାର୍ଡ, ୬ଟି ମେମୋରୀ କାର୍ଡ ହୋଲ୍ଡର, ୨ଟି ଡିଜିଟାଲ୍ କାର୍ଡ, ୪ଟି ସିମ୍ କାର୍ଡ ହୋଲ୍ଡର ଏବଂ ୧ଟା ମେମୋରୀ କାର୍ଡ ହୋଲ୍ଡର ଜବତ କରିଛି ।
ଯାଞ୍ଚ ବେଳେ ଅଜବ କାରଣ ସାମ୍ନାକୁ ଆସିଲା । ପୋଲିସ କହିଛି ଯେ ଅଶ୍ୱିନ ନିଜକୁ ଫିରୋଜ ନାମରେ ପରିଚୟ ଦେଇ ମୁମ୍ବାଇ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲା । ସେ ନିଜର ବନ୍ଧୁ ଫିରୋଜକୁ ଜେଲ୍ ପଠାଇବାକୁ ଚାହୁଁଥିଲା ।
ପ୍ରକୃତରେ ଫିରୋଜ ଫୁଲୱାରି ସରିଫ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଫିରୋଜଙ୍କ ଅଭିଯୋଗ ଆଧାରରେ ବିହାର ପୋଲିସ ୨୦୨୩ ମସିହାରେ ଏକ ଠକେଇ ମାମଲାରେ ଅଶ୍ୱିନୀଙ୍କୁ ଜେଲ ପଠାଇଥିଲା। ଏବେ ଅଶ୍ୱିନୀ ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ ଘଟାଇଥିଲା ।
ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରରେ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ମେସେଜ୍ ରେ ଦାବି କରାଯାଇଥିଲା ଯେ ସହରର ୩୪ଟି ଗାଡ଼ିରେ ମାନବ ବୋମା ଲଗାଯାଇଛି, ଯେଉଁଥିରେ ୪୦୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର କରାଯାଇଛି। ଧମକରେ କୁହାଯାଇଥିଲା ଯେ ଏହି ବିସ୍ଫୋରଣଗୁଡ଼ିକ ସମଗ୍ର ମୁମ୍ବାଇକୁ ଥରାଇ ଦେବ ଏବଂ ପ୍ରାୟ ଏକ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ 'ଲସ୍କର-ଏ-ଜିହାଦି'ର ସଦସ୍ୟ ବୋଲି ଦାବି କରୁଥିବା ଅଭିଯୁକ୍ତ ଜଣକ ଏହା ମଧ୍ୟ ଦାବି କରିଥିଲା ଯେ ୧୪ ଜଣ ଆତଙ୍କବାଦୀ ମୁମ୍ବାଇରେ ପ୍ରବେଶ କରିଛନ୍ତି । ମେସେଜରେ ମୁମ୍ବାଇ ପୋଲିସ ବିରୁଦ୍ଧରେ ମଧ୍ୟ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା।