ଭୁବନେଶ୍ୱର: ପାର୍ବଣ ପୂର୍ବରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାସ୍ତା ମରାମତି କାମ ଶେଷ କରିବାକୁ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ ଦେଇଛନ୍ତି । ଏଥି ସହିତ ରାସ୍ତାର ସ୍ଥାୟିତ୍ୱ ଏବଂ ମରାମତି ପାଇଁ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ନୀତି ଆସିବା ବୋଲି ମନ୍ତ୍ରୀ କହିଛନ୍ତି ।
ଦଶହରାକୁ ନେଇ ରାସ୍ତାଘାଟ ଓ ଗମନାଗମନ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍-୫ସ୍ଥିତ ନିର୍ମାଣ ସୌଧ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ସବୁ ପ୍ରମୁଖ ସହର ତଥା ସମସ୍ତ ଜିଲ୍ଲାର ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ କରିଥିଲେ । ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟର ସବୁ ପ୍ରମୁଖ ରାସ୍ତାକୁ ଖାଲଖମାମୁକ୍ତ କରିବା ଏବଂ ପରବର୍ତ୍ତୀ ଅକ୍ଟୋବର ୨ରୁ ଖରାପ ଅବସ୍ଥାରେ ଥିବା ରାସ୍ତାର ସମ୍ପୂର୍ଣ୍ଣ ନବୀକରଣ କରିବା ପାଇଁ ମନ୍ତ୍ରୀ ବିଭାଗରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ବର୍ଷାଋତୁ ଆସିଲେ ରାସ୍ତାରେ ଖାଲଖମା ହେବା ଏବଂ ରାସ୍ତା ଖରାପ ହେବା ଏକ ସାଧାରଣ ପ୍ରକ୍ରିୟା । ତେବେ ଏହାକୁ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ସରକାରଙ୍କ ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ନୂତନ ନିଯୁକ୍ତି ଜରିଆରେ ବହୁ ପ୍ରତିଭାବାନ ଅଧିକାରୀ ଓ ଇଞ୍ଜିନିୟରମାନେ ବିଭାଗରେ ଯୋଗ ଦେଇଛନ୍ତି । ତେଣୁ, ଇଞ୍ଜିନିୟରମାନେ ସେମାନଙ୍କୁ ଜ୍ଞାନର ଉପଯୋଗ କରି ସ୍ଥାୟୀ ଓ ସୁନ୍ଦର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାସ୍ତାର ସ୍ଥାୟିତ୍ୱ ଏବଂ ମରାମତି ସହ ଯେଉଁ ସଂସ୍ଥା ଓ ବିଭାଗମାନେ ରାସ୍ତା ବ୍ୟବହାର କରୁଛନ୍ତି ସେଥି ନେଇ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ । ଏଥିପାଇଁ ସମ୍ପୃକ୍ତ ଇଞ୍ଜିନିୟରମାନେ ଆସନ୍ତା ଦୁଇଦିନ ମଧ୍ୟରେ ଅଞ୍ଚଳ ଗସ୍ତ କରି ରାସ୍ତାର ସ୍ଥିତି ବିଷୟରେ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।