ଭୁବନେଶ୍ୱର: ପିପିଲି ଓ କୋଣାର୍କ ମଧ୍ୟରେ ଯାତାୟାତ ସମୟକୁ ୯୦ ମିନିଟରୁ ମାତ୍ର ୩୦ ମିନିଟକୁ ହ୍ରାସ କରିବା ପାଇଁ ଏକ ବଡ଼ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର । ଶୁକ୍ରବାର ପୁରୀ ଜିଲ୍ଲାର ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ ଏହି ‘ଗ୍ରୀନଫିଲ୍ଡ କରିଡର’ ଯୋଜନାକୁ ଚୂଡ଼ାନ୍ତ କରାଯାଇଛି। ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ, ନିର୍ମାଣ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।
ପିପିଲି- କୋଣାର୍କକୁ ସଂଯୋଗ କରୁଥିବା ନୂଆ ଗ୍ରୀନ୍ ଫିଲ୍ଡ କରିଡର ବହୁ ଗୁରୁତ୍ୱ ବହନ କରୁଛି । ଏହାର ଲମ୍ବ ରହିବ ୪୦ କିଲୋମିଟର । ୨୦୦ ଫୁଟ ଚଡଡା ଓ ୪ ଲେନ୍ ବିଶିଷ୍ଠ ରାସ୍ତା ନିର୍ମାଣ ହେଲେ ଗାଡ଼ିଗୁଡ଼ିକ ୧୦୦ କିଲୋମିଟର ବେଗରେ ଗତି କରିପାରିବ, ଫଳରେ ପିପିଲିରୁ କୋଣାର୍କ ଯିବାର ସମୟ ଅବଧି ଦେଢ ଘଣ୍ଟାରୁ ଅଧ ଘଣ୍ଟା(୩୦ ମିନିଟ୍)କୁ ହ୍ରାସ ପାଇବ ।
ବୈଠକରେ ଏହି ରସ୍ତାର ନକ୍ସା ପ୍ରସ୍ତୁତ ସହ ଜମି ଅଧିଗ୍ରହଣ ଓ ଅନ୍ୟାନ ବିଷୟ ଉପରେ ଆଲୋଚନା ହୋଇଛି । ଏଥିରେ ପୁରୀ ସହର ତାଜ ଇଣ୍ଟରନ୍ୟାସନାଲ ଠାରୁ ସିଟି ରୋଡ ଦେଇ ଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ୪ ଲେନ୍ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଚୈତନ୍ୟ ରୋଡ଼ରୁ ବାଲିସାହି, ଜଗନ୍ନାଥ ମନ୍ଦିରକୁ ଯାଉଥିବା ରାସ୍ତା, ଡୋଲମଣ୍ଡପ ସାହି ରାସ୍ତା ଓ ଝାଡେଶ୍ୱରୀ କ୍ଲବରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାର ସର୍ଭେ କରାଯିବ।