ଭୁବନେଶ୍ୱର : ଆଜି ପବିତ୍ର ଅନନ୍ତ ବ୍ରତ। ଉଭୟ ପୁରୁଷ ଓ ମହିଳାମାନେ ବ୍ରତ ପାଳନ କରନ୍ତି। ଥରେ ବ୍ରତ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହ କରିବାକୁ ପଡେ। ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାଙ୍କୁ ପୂଜା କରାଯାଏ। ଅଷ୍ଟକୁଳା ନାଗକୁ ମଧ୍ୟ ପୂଜା କରିବାର ପରମ୍ପରା ରହିଛି। ଅନନ୍ତ ଦେବଙ୍କ ପ୍ରତିମା ଚତୁର୍ଭୁଜ ବିଶିଷ୍ଟ ହେବା ଆବଶ୍ୟକ। ନାନା ରତ୍ନ ଅଳଙ୍କାର ସହିତ ଚାରିଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି। ତେବେ ଆଜି ଅନନ୍ତ ବ୍ରତ ପାଇଁ ସଜକୁ ସକାଳୁ ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।
ତେବେ ମହାଭାରତ ସମୟରେ ଏହି ବ୍ରତର ଆରମ୍ଭ ହୋଇଥିଲା ବୋଲି କୁହାଯାଇଥାଏ। ଯେତେବେଳେ ପାଣ୍ଡଵ ମାନେ ଜୁଆରେ ନିଜର ସର୍ବସ୍ୱ ହରାଇ ବଣରେ ବୁଲୁଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଏହି ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ପାଳନ କରିବା ପାଇଁ କହିଥିଲେ। ଶ୍ରୀକୃଷ୍ଣ କହିଥିଲେ ‘ହେ ଯୁଧିଷ୍ଠିର , ତୁମେ ବିଧି ପୂର୍ବକ ଅନନ୍ତ ବ୍ରତର ପାଳନ କର। ଏହାଦ୍ୱାରା ତୁମର ସାରା ସଙ୍କଟ ଦୂର ହୋଇଯିବ। ଏବଂ ତୁମର ହରାଇଥିବା ରାଜ୍ୟ ତୁମକୁ ପୁଣିଥରେ ପ୍ରାପ୍ତ ହେବ’। ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଯୁଧିଷ୍ଠିର ଅନନ୍ତ ଭଗବାନଙ୍କ ବ୍ରତ ପାଳନ କରିଥିଲେ। ଯାହା ପ୍ରଭାବରେ ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ ଏବଂ ଚିରକାଳ ରାଜ୍ୟ ଶାସନ କରିଥିଲେ।
ଏହି ବ୍ରତରେ ସୂତାକୁ କୁଙ୍କୁମରେ ରଙ୍ଗାଇ ୧୪ ଗଣ୍ଠି ଦିଆଯାଇଥାଏ। ଏହାପରେ ଏହାକୁ ବିଧି ବିଧାନ ଅନୁଯାୟୀ ପୂଜା କରିବା ସହିତ ହାତରେ ବନ୍ଧା ଯାଇଥାଏ। ହାତରେ ବନ୍ଧା ଯାଇଥିବା ଏହି ବ୍ରତକୁ ଅନନ୍ତ କୁହାଯାଇଥାଏ। ଭଗବାନ ବିଷ୍ଣୁଙ୍କ ରୂପରେ ମାନୁଥିବା ଏହି ବ୍ରତକୁ ରକ୍ଷାସୁତ୍ର ମଧ୍ୟ କୁହାଯାଇଥାଏ। ଏହି ୧୪ ଗଣ୍ଠି ଭଗବାନ ଶ୍ରୀହରିଙ୍କ ୧୪ ଲୋକର ପ୍ରତୀକ ବୋଲି କୁହାଯାଇଥାଏ। ଏହି ଅନନ୍ତ ରୁପି ବ୍ରତକୁ ପୂଜାରେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ବ୍ରତକୁ ନିଜ ବାହୁରେ ବନ୍ଧାଯାଏ।
ତେବେ ଧନ ଏବଂ ସନ୍ତାନର କାମନାରେ ଏହି ବ୍ରତ ପାଳନ କରାଯାଇଥାଏ। କୁହାଯାଏ କି ଏହି ଅନନ୍ତ ଆମ ଉପରେ ଆସୁଥିବା ସମସ୍ତ ସଂକଟରୁ ରକ୍ଷା କରିଥାଏ। ଏହି ଅନନ୍ତ ବ୍ରତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥାଏ ଏବଂ ଅନନ୍ତ ଫଳ ପ୍ରଦାନ କରିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ଏହି ବ୍ରତ ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ଦେଇ ସମସ୍ତ ବିପତ୍ତିରୁ ଉଦ୍ଧାର କରିଥାଏ। ମହାଭାରତ ଅନୁସାରେ ଦରିଦ୍ରତା ନାଶ ହେବା ସହିତ ଗ୍ରହ ଗୁଡିକର ବାଧା ମଧ୍ୟ ଦୂର ହୋଇଥାଏ।