ସମ୍ବଲପୁର : ହୀରାକୁଦର ଖୋଲିଲା ୨୪ଟି ଗେଟ୍। ଏବେ ଜଳଭଣ୍ଡାରର ଜଳସ୍ତର ୬୨୬.୪୧ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୦୨୮କ୍ୟୁସେକ୍ ଜଳ। ନିଷ୍କାସିତ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ। ତେବେ ହୀରାକୁଦର ୨୪ ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଛି। ସେହିପରି ମହାନଦୀ ତଳମୁଣ୍ଡ ବେଲଗାଁରେ ୧୪ ହଜାର କ୍ୟୁସେକ୍, ପର୍ଥଲାରେ ୩୭ ହଜାର କ୍ୟୁସେକ୍, ଖଇରମାଳରେ ୪ ଲକ୍ଷ ୧୮ ହଜାର କ୍ୟୁସେକ୍, ବରମୂଳରେ ୩ ଲକ୍ଷ ୧୧ ହଜାର କ୍ୟୁସେକ୍ ଓ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା।
ଅନ୍ୟପକ୍ଷରେ ୨୪ଟି ଗେଟ୍ ଖୋଲାଯିବାରୁ ସମ୍ବଲପୁର ସହର ଉପକଣ୍ଠ ମାଳତି ନଦୀରେ ମହାନଦୀର ପଛୁଆପାଣି ପଶି ମାଳତି ଗୁଣ୍ଡେରପୁର ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଛି। ଏପରିକି ଅନେକ ଚାଷ ଜମିରେ ମଧ୍ୟ ବନ୍ୟା ଜଳ ପ୍ରବେଶ କଲାଣି। ତେବେ ବର୍ତମାନ ସୁଦ୍ଧା ହୀରାକୁଦର ୨୪ ଟି ଗେଟ୍ ଖୋଲା ସରିଛି। ଯଦି ଜଳର ମାତ୍ରା ଆହୁରି ବୃଦ୍ଧି ପାଏ ତେବେ ଆହୁରି ଗେଟ ଖୋଲା କାଇପାରେ ବୋଲି ସୂଚନା ରହିଛି। ଏହାସହିତ ଅଂଚଳ ମାନଙ୍କରେ ବନ୍ୟା ପରିସ୍ଥିତି ଯେପରି ନ ଉପୁଜିବ ଦଶେ ନେଇ ମଧ୍ୟ ଧ୍ୟାନ ଦିଆଯାଇଛି।