କଟକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଗତକାଲିଠାରୁ ଚରିବାକୁ ଯାଇଥିବା ଗୋରୁ ପଲ ନଦୀ ଟାପୁରେ ଫସି ରହିଛନ୍ତି । କଟକ ତ୍ରିଶୂଳିଆ କାଜିପାଟଣା ନିକଟରେ କାଠଯୋଡ଼ି ପଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଗୋରୁ ପଲ ଫସି ରହିଛନ୍ତି ।
ଗତକାଲି କାଜିପାଟଣା ଅଞ୍ଚଳର ସ୍ଥାନୀୟ ଲୋକ ଗୋରୁ ଚରିବାକୁ ଛାଡ଼ିଥିଲେ । ପ୍ରତିଦିନ ଭଳି କାଲି ମଧ୍ୟ ଗୋରୁ ଗୁଡ଼ିକ ଟାପୁ ଭିତରକୁ ଯାଇଥିଲେ । କିନ୍ତୁ ନଦୀରେ ଧିରେ ଧିରେ ଜଳ ସ୍ତର ବୃଦ୍ଧି ପାଇଥିଲା । ଫଳରେ ଗୋରୁଗୁଡ଼ିକ ସେଠାରେ ଫସିଯାଇଥିଲେ । ପାଖାପାଖି ୨୪ ଘଣ୍ଟା ଧରି ଗାଈଗୁଡ଼ିକ ପଠାରେ ରହିଛନ୍ତି । ଏ ନେଇ ଅଗ୍ନିଶମ ବିଭାଗକୁ ମଧ୍ୟ କୌଣସି ଖବର ଦିଆଯାଇନଥିବା ଜଣାପଡ଼ିଛି । ଖବର ଲେଖା ହେବା ବେଳକୁ କୌଣସି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିଲା ।
ସେପଟେ ହୀରାକୁଦର ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମୁଣ୍ଡୁଳି ନିକଟରେ ୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପହଁଚିବ । ତେଣୁ କାଠଯୋଡ଼ିରେ ମଧ୍ୟ ଆହୁରି ଜଳ ସ୍ତର ବୃଦ୍ଧି ପାଇବ । ଯଦି ସମୟ ପୂର୍ବରୁ ଗାଈଗୁଡ଼ିକୁ ଉଦ୍ଧାର ନ କରାଯାଏ ତେବେ ସେମାନେ ଭାସିଯିବାର ଆଶଙ୍କା କରାଯାଉଛି ।