ଭୁବନେଶ୍ୱର: ଆସନ୍ତା ରବିବାର ଅର୍ଥାତ ସେପ୍ଟେମ୍ବର ୭ ତାରିଖରେ ପଡୁଛି ଚନ୍ଦ୍ରଗ୍ରହଣ । ଏହା ଭାଦ୍ରବ ପୂର୍ଣ୍ଣିମାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ରବିବାର ଦିନ ଚନ୍ଦ୍ରରେ ଲାଗିବ ଗ୍ରହଣ , ଚନ୍ଦ୍ରକୁ ଗ୍ରାସ କରିବ ରାହୁ । ଏହିଦିନ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ବହୁତ ଶକ୍ତିଶାଳୀ । ଏଭଳି ଗ୍ରହଣ ୧୦୦ ବର୍ଷରେ ଥରେ ଘଟେ ।
ଗ୍ରହଣ ସ୍ପର୍ଶ ଓ ଶେଷ ସମୟ :
ସେପ୍ଟେମ୍ବର ୭ ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ ଏବଂ ମଧ୍ୟ ରାତ୍ର ୧ଟା ୨୮ରେ ଗ୍ରହଣ ଶେଷ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୭ ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ । ଏହା ସହ ସମସ୍ତ ଶୁଭ କାର୍ଯ୍ୟ ବାରଣ ।
କୁହାଯାଏ ଯେତେବେଳେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଏକ ସିଧା ରେଖାରେ ଆସିଥା’ନ୍ତି ସେତେବେଳେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ଉପରେ ତ ପଡ଼ିଥାଏ କିନ୍ତୁ ଚନ୍ଦ୍ର ଉପରେ ପଡ଼ିନଥାଏ । ଏହାଦ୍ୱାରା ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ । ଏହି ଘଟଣାକୁ ହିଁ ଚନ୍ଦ୍ରଗ୍ରହଣ କୁହାଯାଏ ।
ରାଜ୍ୟରେ ଶୁଭ ଅଶୁଭ :
୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କିଛି ଜ୍ୟୋର୍ତିବିଦ ଗଣନା କରି କହିଛନ୍ତି । ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିରେ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ଦୋଳପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଛି। ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି । ଯେମିତିକି ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡ଼ିଶା ।
ଏହାସହିତ ରାହୁ-ଚନ୍ଦ୍ରଙ୍କ ଚଳନ କାରଣରୁ ଅନେକ ଦେଶରେ ରାଜନୈତିକ ଅସ୍ଥିରତା, ଅବିଶ୍ୱାସ ଏବଂ ନେତୃତ୍ୱ ସଙ୍କଟ ଦେଖିବାକୁ ମିଳିପାରେ । ଆନ୍ତର୍ଜାତୀୟ ସମ୍ବନ୍ଧରେ ହଠାତ୍ ଉତ୍ତେଜନା ବା ବିବାଦର ସମ୍ଭାବନା ସୃଷ୍ଟି ହୋଇପାରେ ।
କେଉଁ ରାଶି ପାଇଁ ବିପଦ :
କର୍କଟ: କର୍କଟ ରାଶିର ଲୋକଙ୍କ ପାଇଁ ଗ୍ରହଣ ଚ୍ୟାଲେଞ୍ଜିଂ ହେବ । ଚନ୍ଦ୍ରଙ୍କ ଦୁର୍ବଳତା ଯୋଗୁଁ ମାନସିକ ସନ୍ତୁଳନ ଖରାପ ହୋଇପାରେ । ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ସମ୍ପର୍କ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ।
କନ୍ୟା: କନ୍ୟା ରାଶି ଲୋକଙ୍କର ଷଷ୍ଠ ଘରେ ଗ୍ରହଣ ପ୍ରଭାବ ପକାଇବ । ଟଙ୍କା, ସ୍ୱାସ୍ଥ୍ୟ ଏବଂ ସମ୍ପର୍କରେ ସତର୍କତା ରହିବା ଆବଶ୍ୟକ । ଏହି ସମୟରେ ବଡ଼ ନିଷ୍ପତ୍ତି କିମ୍ବା ନିବେଶ କରିବା ଶୁଭ ହେବ ନାହିଁ ।
କୁମ୍ଭ: ଚନ୍ଦ୍ରଗ୍ରହଣ ଯୋଗୁଁ କୁମ୍ଭ ରାଶି ଲୋକଙ୍କୁ ବିଶେଷ ସତର୍କ ରହିବାକୁ ପଡିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହିତ ପାରସ୍ପରିକ ସମ୍ପର୍କରେ ମତଭେଦ ହେବାର ସମ୍ଭାବନା ରହିବ ।
ମୀନ: ମୀନ ରାଶି ଲୋକଙ୍କର ଦ୍ୱାଦଶ ଘରେ ଗ୍ରହଣ କ୍ଷତିର ଭାବନାକୁ ସୂଚିତ କରୁଛି । ଆର୍ଥିକ ଖର୍ଚ୍ଚ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ପାରିବାରିକ ଉତ୍ତେଜନା ବୃଦ୍ଧି ହେବାର ସମ୍ଭାବନା ରହିବ ।