ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ହେରଫେର କରି ପଳାୟନ କରିଥିବା ବଡ଼ ବଡ଼ ଅର୍ଥନୈତିକ ଅପରାଧୀ ମେହୁଲ ଚୌକସୀ ଏବଂ ନୀରବ ମୋଦୀ ଭାରତ ଫେରିବା ସମ୍ଭାବନା ଦେଖାଦେଇଛି ।ବ୍ରିଟେନର କ୍ରାଉନ୍ ପ୍ରୋସିକ୍ୟୁସନ୍ ସର୍ଭିସ୍ (CPS) ର ଏକ ଦଳ ଦିଲ୍ଲୀର ତିହାର ଜେଲ୍ ଯାଞ୍ଚ କରିଛି। ତେଣୁ ସେମାନେ ଭାରତ ଫେରି ଫାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବ୍ରିଟେନ୍ ଦଳ ତିହାର ଜେଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଭାରତକୁ ଅଣାଯିବାକୁ ଥିବା ପଳାୟନକାରୀ ଅପରାଧୀମାନଙ୍କୁ ସୁରକ୍ଷିତ ପରିବେଶ ମିଳିବ କି ନାହିଁ ତାହା ଯାଞ୍ଚ କରାଯାଇଛି । ସିପିଏପ୍ ଦଳ ତିହାର ଜେଲର ଉଚ୍ଚ-ସୁରକ୍ଷା ୱାର୍ଡ ପରିଦର୍ଶନ କରିଥିଲେ ଏବଂ ସେଠାରେ ଉପସ୍ଥିତ କଏଦୀମାନଙ୍କ ସହ କଥା ହୋଇଥିଲେ । ଭାରତୀୟ ଅଧିକାରୀମାନେ ବ୍ରିଟିଶ ଦଳକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆବଶ୍ୟକ ହେଲେ, ଜେଲ୍ ପରିସରରେ ଏକ ସ୍ୱତନ୍ତ୍ର ଏନକ୍ଲେଭ୍ ନିର୍ମାଣ କରାଯିବ, ଯେଉଁଠାରେ ହାଇ-ପ୍ରୋଫାଇଲ୍ ଅଭିଯୁକ୍ତମାନେ ସୁରକ୍ଷିତ ରହିପାରିବେ।
ଭାରତ ସରକାର ବ୍ରିଟେନକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜେଲରେ କୌଣସି ଅଭିଯୁକ୍ତଙ୍କୁ ବେଆଇନ ଭାବରେ ପଚରାଉଚରା କରାଯିବ ନାହିଁ । ପ୍ରକୃତରେ, ପୂର୍ବରୁ ଅନେକ ଥର ବ୍ରିଟିଶ କୋର୍ଟ ଭାରତର ପ୍ରତ୍ୟାର୍ପଣ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ସେମାନଙ୍କର ଭାରତୀୟ ଜେଲକୁ ନେଇ ଆପତ୍ତି ଉଠାଇଥିଲେ ।
ଭାରତର ମୋଟ ୧୭୮ ପ୍ରତ୍ୟର୍ପଣ ଅନୁରୋଧ ବିଦେଶରେ ବିଚାରାଧୀନ ଅଛି, ଯାହା ମଧ୍ୟରୁ ପ୍ରାୟ ୨୦ ମାମଲା ବ୍ରିଟେନରେ ଫସି ରହିଛି । ଏଥିରେ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଏବଂ ଖଲିସ୍ତାନୀ ନେଟୱାର୍କ ସହିତ ଜଡିତ ଲୋକଙ୍କ ନାମ ଅନ୍ତର୍ଭୁକ୍ତ । ଜୁଲାଇ ୨୦୨୫ରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଥିଲେ ଯେ ଭାରତ ନିରନ୍ତର ବ୍ରିଟିଶ ସରକାରଙ୍କ ନିକଟରେ ନିଜର ମାମଲା ଉପସ୍ଥାପନ କରୁଛି ଯାହା ଦ୍ଵାରା ସେଠାରେ ରହୁଥିବା ପଳାତକମାନଙ୍କୁ ଆଇନଗତ ପ୍ରକ୍ରିୟା ପାଇଁ ଭାରତକୁ ଫେରାଇ ଅଣାଯାଇପାରିବ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲା ମାମଲାରେ ଫେରାର ଥିବା ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଥିଲା । ମେହୁଲଙ୍କ ନାମରେ ୧୩ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।