ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଚୋରିର ଏକ ଘଟଣା ଏବେ ହଇଚଇ ସୃଷ୍ଟି କରିବା ସହ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିସରରୁ କୋଟିଏ ଟଙ୍କା ମୂଲ୍ୟର ହୀରା ଲାଗିଥିବା ସୁନା କଳସ ଚୋରି ହୋଇଥିବା ମାମଲା ଶନିବାର ସାମ୍ନାକୁ ଆସିଥିଲା। ଏହି କଳସ ବିଶ୍ୱ ଶାନ୍ତି ପାଇଁ ସ୍ଥାପିତ ହୋଇଥିଲା। ଏବେ ଚୋର ଏହାକୁ ଚୋରି କରୁଥିବାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ପୂଜାରୀ ବେଶରେ ଆସି ନେଇଗଲା ସୁନା କଳସ:
ଲାଲକିଲ୍ଲା ପରିସରରେ ଚୋରୀ ନେଇ ଅଭିଯୋଗ ହେବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ସେଠାରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରିଥିଲା। ଏହା ପରେ ପୋଲିସ ଜଣେ ଚୋରକୁ ଦେଖିଥିଲା। ଅଭିଯୁକ୍ତ ଜଣକ ପୂଜାରୀ ବେଶରେ ଆସି ମଣ୍ଡପରେ ପ୍ରବେଶ କରୁଛି। ଲୋକମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବା ସୁଯୋଗ ଦେଖି ସେଠାରୁ ସୁନା କଳସ ନେଇ ଚମ୍ପଟ ମାରୁଛି। ଚୋରି ହୋଇଥିବା କଳସରେ ୭୬୦ଗ୍ରାମ ସୁନା ଏବଂ ୧୫୦ଗ୍ରାମ ହୀରା, ମୂଲ୍ୟବାନ୍ ରତ୍ନ ଓ ମଣିମାଣିକ୍ୟ ଖଚିତ ହୋଇଥିଲା। କଳସ ଚୋରି କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା କହିଛି ଦିଲ୍ଲୀ ପୋଲିସ। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ଘଟଣା ମୁତାବିକ, ବୁଧବାର ଦିନ ଲାଲକିଲ୍ଲା ପରିସରରେ ଥିବା ୧୫ ଅଗଷ୍ଟ ପାର୍କରେ ଅନୁଷ୍ଠିତ ହେଉଥିବା ଦଶ ଦିନିଆ ଧାର୍ମିକ କାର୍ଯ୍ୟକ୍ରମ 'ଦଶଲକ୍ଷଣ ମହାପର୍ବ' ସମୟରେ ଏହି ଚୋରି ଘଟିଥିଲା। ସିସିଟିଭିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜୈନ ପୂଜାରୀଙ୍କ ବେଶରେ ମୂଲ୍ୟବାନ ଜିନିଷ ଥିବା ଏକ ବ୍ୟାଗ ନେଇ ଯାଉଥିବାର ଦେଖାଯାଇଥିଲା। ରିପୋର୍ଟ ଅନୁଯାୟୀ ଆୟୋଜକମାନେ ସମ୍ମାନିତ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ବ୍ୟବସ୍ଥା କରିବାରେ ବ୍ୟସ୍ତ ଥିବା ସମୟରେ ଚୋରି ଘଟିଥିଲା। ଉତ୍ସବର କାର୍ଯ୍ୟକଳାପ ପୁଣି ଆରମ୍ଭ ହେବା ପରେ ମଞ୍ଚରୁ ଜିନିଷଗୁଡ଼ିକ ଗାଏବ ହୋଇଥିବା ଦେଖିବାକୁ ମିଳିଥିଲା।