ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ଭାରତ-ଆମେରିକା ସମ୍ବନ୍ଧର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସହ ଭାଗିଦାରୀକୁ ଅତ୍ୟଧିକ ମହତ୍ୱ ଦିଅନ୍ତି । ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିଏମ ମୋଦୀଙ୍କ ସହିତ ନିଜର ବନ୍ଧୁତାର ପ୍ରଶଂସା କରିଥିଲେ । କିନ୍ତୁ କିଛି ପ୍ରସଙ୍ଗରେ ଅସହମତି ପ୍ରକାଶ କରିଥିଲେ ।
ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସହିତ ଆମର ଭାଗିଦାରୀକୁ ଅତ୍ୟଧିକ ମହତ୍ୱ ଦିଅନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ବନ୍ଧ ବହୁତ ଭଲ । ବର୍ତ୍ତମାନ ମୁଁ କେବଳ ଏତିକି କହି ପାରିବି ଯେ, ଆମେ ଆମେରିକା ସହ ନିରନ୍ତର ଆଲୋଚନା କରୁଛୁ । ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ହୋଇ ରହିବି । ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ମାତ୍ର ମୋତେ ବର୍ତ୍ତମାନ ତାଙ୍କର କିଛି ନୀତି ପସନ୍ଦ ନୁହେଁ । ତଥାପି ଭାରତ ଓ ଆମେରିକା ମଧ୍ୟରେ ବହୁତ ସ୍ୱତନ୍ତ୍ର ସଂପର୍କ ରହିଛି । ଚିନ୍ତାର କୌଣସି ବିଷୟ ନାହିଁ, ବେଳେ ବେଳେ ଏମିତି ମୁହୂର୍ତ୍ତ ଆସିଯାଏ ।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ଏକ୍ସରେ ଲେଖିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଓ ଆମର ସଂପର୍କର ସକରାତ୍ମକ ଆକଳନକୁ ଗଭୀରତାର ସହ ପ୍ରଶଂସା କରୁଛି । ଭାରତ ଓ ଆମେରିକା ମଧ୍ୟରେ ଏକ ବହୁତ ସକରାତ୍ମକ ଓ ଭବିଷ୍ୟତ ଉନ୍ମୁଖ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ରହିଛି ।
ଉଭୟ ପକ୍ଷରୁ ଏମିତି ବୟାନ ସେହି ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କରେ ତିକ୍ତତା ଆସିଛି । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି । ଏଥିରେ ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ଏବଂ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ରହିଛି । ଭାରତ ଏହାକ ଅନୁଚିତ ଏବଂ ଅବ୍ୟବହାରିକ ଦର୍ଶାଇ କହିଥିଲା ଯେ, କୌଣସି ବି ବଡ ଅର୍ଥବ୍ୟବସ୍ଥା ପରି ଭାରତ ନିଜର ରାଷ୍ଟ୍ରୀୟ ହିତ ଓ ଆର୍ଥିକ ସୁରକ୍ଷାର ରକ୍ଷା ପାଇଁ ସବୁ ପ୍ରକାରର ଆବଶ୍ୟକ ପଦକ୍ଷେପ ଉଠାଇବ ।
Also read: ନିଜ ପାଇଁ କାଳ ହେଲା ଟ୍ରମ୍ପଙ୍କ ଟାରିଫ ପଲିସି, ଆମେରିକାରେ ବେରୋଜଗାରୀ ସହ ବଢିଲା ଦରବୃଦ୍ଧି