ନୂଆଦିଲ୍ଲୀ: ଭାରତ, ରୁଷ ଓ ଚୀନ ଏହି ତିନି ଦେଶର ଏକଜୁଟତା ଦୁନିଆର ଦୃଶ୍ୟପଟ୍ଟ ବଦଳାଇ ଦେଇପାରେ । ଏକବିଂଶ ଶତାବ୍ଦୀ ଏସିଆର ହୋଇପାରେ । ଏମିତି ବିଚାର ସର୍ବଦା ଅନେକ ମଞ୍ଚରୁ ଶୁଣିବାକୁ ମିଳିଥାଏ । ହେଲେ ଏହା ବାସ୍ତବ ରୂପ କେବେ ନେବ ତାହା ସମୟ କହିବ । ତେବେ ଏହି ତିନି ଦେଶ ଏକାଠି ଆସିବା ଏକ ନୂଆ ମୋଡ ନେଇପାରେ । ଏଥରର ସାଂଘାଇ ସହଯୋଗ ସଂଗଠନ ଶିରଖ ସମ୍ମିଳନୀ ପୂରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ପ୍ରାୟ ପ୍ରତିଟି ଛବିରେ ଟ୍ରମ୍ପଙ୍କ ସିଧା ନଜର ଥିଲା ଏବଂ ଟିପ୍ପଣୀ କରି ଚାଲିଥିଲେ । ଟ୍ରମ୍ପ ଯେଉଁଭଳି ଭାବେ ସମସ୍ତ ଦେଶ ଉପରେ ଟାରିଫ ଲଦିଛନ୍ତି ଏବଂ ଭାରତ ଉପରେ ସର୍ବାଧିକ ଟ୍ୟାକ୍ସ ଲଗାଇଛନ୍ତି ଏଥିରେ ତିନି ଦେଶକୁ ଏକାଠି ଆସିବାକୁ ପ୍ରୋତ୍ସାହିତ କରିଛି ।
ଯଦି ବୈଶ୍ୱିକ କୂଟନୀତିରେ ରୁଷ, ଭାରତ ଓ ଚୀନ େଗୋଟିଏ ରାସ୍ତାରେ ଚାଲନ୍ତି ତେବେ ଆଗାମୀ କିଛି ବର୍ଷ ନିର୍ଣ୍ଣାୟକ ରହିପାରେ । ରୁଷ ଦୀର୍ଘ ସମୟରୁ ଏକଜୁଟ ରହିବାକୁ ପ୍ରୟାସ କରିଥିଲା । ହେଲେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏବଂ ବାଣିଜ୍ୟିକସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଏହା ସଫଳ ହୋଇ ପାରି ନ ଥିଲା । ଉଲ୍ଲେଖନୀୟ ୧୯୮୮ରେ ରୁଷ ପ୍ରଧାନମନ୍ତ୍ରୀ ୟେବଗେନି ପ୍ରିମାକୋଭ ଭାରତ ଯାତ୍ରା ସମୟରେ ଆରଆଇସି(ରୁଷ, ଭାରତ ଓ ଚୀନ)ଷ୍ଟ୍ରାଟେଜିକ ଟ୍ରାଇଙ୍ଗଲର ଔପଚାରିକ ପ୍ରସ୍ତାବ ରଖିଥିଲେ । ଏହା ପରେ ୨୦୦୬ରେ ପ୍ରଥମ ଥର ଆରଆଇସିର ନେତାଙ୍କ ବୈଠକ ହୋଇଥିଲା ଏବଂ ୨୦୦୭ରେ ତିନି ଦେଶର ବୈଦେଶିକ ମନ୍ତ୍ରୀ ମିଳିତ ସହଯୋଗ ଉପରେ ଆଲୋଚନା କରିଥିଲେ ।
ମୋଟାମୋଟି ୨୦୦୨ରୁ ୨୦୨୦ ପର୍ଯ୍ୟନ୍ତ ଆରଆଇସିର ୨୦ରୁ ଅଧିକ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜିତ ହୋଇଛି । ମାତ୍ର ଏହି ଅନୌପଚାରିକ ସଂଗଠନ କେବେ ଆଗକୁ ବଢି ପାରି ନ ଥିଲା । ପୁଣି ୨୦୨୦ରେ ଗଲୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ସମ୍ବନ୍ଧରେ ତିକ୍ତତା ଆସିଥିଲା ଏବଂ ତିନି ରାଷ୍ଟ୍ର ଏକତ୍ର ଆସିବା ବିଚାରକୁ ଶୀତଳ ଭଣ୍ଡାରରେ ପଡି ରହିଥିଲା । ହେଲେ ଟ୍ରମ୍ପଙ୍କ ଟାରିଫ ୱାର ଏହି ତିନି ଦେଶକୁ ଏବେ ଏକାଠି ଆସିବାକୁ ବାଧ୍ୟ କରିଛି ।
ଆରଆଇସି ଦେଶର ମିଳିତ ଜିଡିପି ପ୍ରାୟ ୫୪ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ରହିଛି । ଏହା ବିଶ୍ୱ ଉତ୍ପାଦନର ପ୍ରାୟ ଏକ ତୃତୀୟାଂଶ ହେବ । ଏହା ବାଦ ଏହାର ଜନସଂଖ୍ୟା ବିଶ୍ୱର ମୋଟ୍ ଜନସଂଖ୍ୟାର ୩୮ ପ୍ରତିଶତ । ପ୍ରାୟ ୩.୧ ବିଲିୟନ ଡଲାର ଅର୍ଥାତ ପାଖାପାଖି ୩୦୦ କୋଟି ଲୋକ ଏହି ତିନି ଦେଶରେ ବାସ କରୁଛନ୍ତି । ବିଦେଶୀ ମୁଦ୍ରା ଭଣ୍ଡାର ୪.୭ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି । ଏହା ବିଶ୍ୱ ଭଣ୍ଡାରର ପ୍ରାୟ ୩୮ ପ୍ରତିଶତ ହେବ । ଏହା ବ୍ୟତୀତ ଉର୍ଜା ଖର୍ଚ୍ଚ ମଧ୍ୟ ଦୁନିଆର ଏକ ତୃତୀୟାଂଶ ସହ ବରାବର । ତେବେ ତିନି ଦେଶ ମଧ୍ୟରେ ଏହି ସଂପର୍କ ମଜବୁତ ପାଇଁ ବହୁତ କିଛି କରିବାକୁ ବାକି ରହିଛି । କାରଣ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ରହିବା ସହ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ।