ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣି ଥରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ରିପୋର୍ଟ ଅନୁଯାୟୀ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ମାଟିତଳେ ୧୦ କିଲୋମିଟର ଗଭୀରତାରେ ରହିଛି। ପାକିସ୍ତାନ ଏବଂ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଲୋକେ କହିଛନ୍ତି। ତେବେ ଏହି ଭୂକମ୍ଫରେ କ୍ଷୟକ୍ଷତି ବିଷୟରେ ଜଣା ପଡ଼ି ନାହିଁ।
ଆଫଗାନିସ୍ତାନର କୁନାର ପ୍ରଦେଶରେ ନିକଟରେ ଭୟଙ୍କର ଭୂମିକମ୍ପ ଘଟିଥିଲା। ଏଥିରେ ମୃତ୍ୟୁ ସଂଖ୍ୟା ୧୪୫୭ରେ ପହଞ୍ଚିଥିବା ବେଳେ ୩୩୯୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬,୭୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅନ୍ତର୍ଜାତୀୟ ରିଲିଫ୍ ଏଜେନ୍ସିଗୁଡ଼ିକ ଏବେ ବି ସଂଘର୍ଷ କରିବାକୁ ପଡ଼ୁଛି। ରିଲିଫ୍ କର୍ମୀମାନେ ଧ୍ୱଂସାବଶେଷରୁ ମୃତଦେହ ବାହାର କରିବାରେ ଲାଗି ପଡ଼ିଛନ୍ତି।
ଭୂମିକମ୍ପ ପୀଡିତମାନେ ପାଣି, ଖାଦ୍ୟ ଏବଂ ଚିକିତ୍ସା ସୁବିଧାର ଅଭାବରେ ସଂଘର୍ଷ କରୁଛନ୍ତି। ତାଲିବାନ ପ୍ରଶାସନ ଦାବି କରିଛି ଯେ ଅନେକ ପରିବାରକୁ ମାନବୀୟ ସହାୟତା ଯୋଗାଇ ଦିଆଯାଇଛି ଏବଂ ଦୂରଦୂରାନ୍ତ ଅଞ୍ଚଳକୁ ରାସ୍ତା ଖୋଲାଯାଇଛି। ଏହା ସହିତ, ଅନେକ ଦେଶର ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ରିଲିଫ୍ କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ପ୍ରବଳ କ୍ଷୟକ୍ଷତି ଯୋଗୁଁ ଦୁର୍ଗମ ପାହାଡ଼ି ଭୂଭାଗ ଏବଂ ସବୁଠାରୁ ଅଭାବୀ ଲୋକଙ୍କ ପାଖରେ ପହଞ୍ଚିବା ବହୁତ କଷ୍ଟକର ହୋଇପଡୁଛି।
ଆମେରିକା ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଅଗଷ୍ଟ ୩୧ ତାରିଖରେ ସ୍ଥାନୀୟ ସମୟ ରାତି ୧୧:୪୭ ରେ ଆଠ କିଲୋମିଟର ଗଭୀରତାରେ ଏହି ୬.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପ ପ୍ରଭାବିତ ଅଞ୍ଚଳ ଭୂକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। କାରଣ ଏଠାରେ ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ମିଶିଥାଏ। ପାହାଡିଆ ଅଞ୍ଚଳ ଭୂସ୍ଖଳନର ବିପଦକୁ ଆହୁରି ବୃଦ୍ଧି କରେ, ଯାହା ଫଳରେ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼େ।
ରେଡକ୍ରସ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭାରତ, ଜାପାନ, ଇରାନ ଏବଂ ତୁର୍କୀରୁ ମଧ୍ୟ ସହାୟତା ସାମଗ୍ରୀ ପଠାଯାଇଛି। ରିଲିଫ୍ ଏଜେନ୍ସିଗୁଡ଼ିକ ମୁତାବକ ଅସୁବିଧା ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଚିକିତ୍ସା ସେବା ବିଳମ୍ବ ହେଉଛି। ଅକ୍ଟୋବର ୨୦୨୩ରେ ସମାନ ଅଞ୍ଚଳରେ ଏକ ଭୂମିକମ୍ପରେ ୧୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପୁଣି ୨୦୨୨ରେ ଆଉ ଏକ ଭୂମିକମ୍ପରେ ମଧ୍ୟ ୧୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।