ନୂଆଦିଲ୍ଲୀ: ଚୀନର ତିଆନଜିନରେ ଆୟୋଜିତ ଦୁଇ ଦିନିଆ ସାଙ୍ଘାଇ ସହଯୋଗ ସଂଗଠନ ଶେଷ ହୋଇଛି । ଏଥିରେ ଚୀନ, ରୁଷ ଏବଂ ଭାରତ ସମେତ ୧୦ଟି ଦେଶ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଏସସିଓରେ ପୂର୍ଣ୍ଣ ସଦସ୍ୟତା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଅଜରବୈଜାନକୁ ନିରାଶ ହେବାକୁ ପଡ଼ିଛି । ସଦସ୍ୟ ହେବାରୁ ବଞ୍ଚିତ ହେବାରୁ ଭାରତ ଉପରେ ଦୋଷ ଲଦିଛି ଅଜରବୈଜାନ ।
ଅଜରବୈଜାନର ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଏସସିଓରେ ଅଜରବୈଜାନ ସଦସ୍ୟ ହେବା ବାଟରେ ଭାରତ କଣ୍ଟା ହୋଇ ଛିଡ଼ା ହୋଇଛି । ପାକିସ୍ତାନ ସହିତ ଅଜରବୈଜାନର ବନ୍ଧୁତା ଯୋଗୁଁ ପୂର୍ଣ୍ଣ ସଦସ୍ୟ ହୋଇପାରିଲା ନାହିଁ । ଏଥିପାଇଁ ଭାରତକୁ ଦାୟୀ କରାଯାଇଛି ।
ପାକିସ୍ତାନ ଓ ଅଜରବୈଜାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଅଜରବୈଜାନର ନାଗୋର୍ନେ-କରାୱାଖ ଅଞ୍ଚଳରେ ଓର୍ମେନିୟାକୁ ସ୍ୱତନ୍ତ୍ର ଦେବାକୁ ପାକିସ୍ତାନ ମନା କରିଦେଇଥିଲା । ଯାହାର ପ୍ରତିବଦଳରେ ଅଜରବୈଜାନ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଥିଲା ।
ଏସସିଓରେ ମୋଟ ୧୦ ଟି ଦେଶ ପୂର୍ଣ୍ଣ ସଦସ୍ୟତା ଲାଭ କରିଛନ୍ତି । ଚୀନ, ରୁଷ, ଭାରତ, ପାକିସ୍ତାନ, କଜାକିସ୍ତାନ, କିର୍ଗିସ୍ତାନ, ତଜାକିସ୍ତାନ, ଉଜବେକିସ୍ତାନ, ଇରାନ ଓ ବେଲାରୁଷ ସାମିଲ ଅଛନ୍ତି । ତୁର୍କୀ, ଶ୍ରୀଲଙ୍କା, କମ୍ବୋଡ଼ିଆ ଏବଂ ମ୍ୟାଆଁମାର ସମେତ ୧୪ଟି ଦେଶ ଡାଇଲଗ୍ ପାର୍ଟନର୍ ଅଛନ୍ତି । ତିଆନଜିନରେ ଆୟୋଜିତ ଶିଖର ସମ୍ମିଳନୀରେ ଅଜରବୈଜାନ ଡାଇଲଗ୍ ପାର୍ଟନର୍ ଭାବେ ଅଂଶ ଗ୍ରହଣ କରିଥିଲା ।