ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ସକାଳୁ ରାଜ୍ୟର ଟୁଇନ୍ ସିଟି ସମେତ ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହୋଇଥିଲା । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।
ପ୍ରବଳ ବର୍ଷା ପାଇଁ ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ନଦୀରେ ଜଳ ବୃଦ୍ଧି ପାଇବା ଆଶଙ୍କା ରହିଛି ତେବେ ବର୍ଷା ହେଲେ ସତର୍କ ସଂକେତ ଉପରକୁ ଯିବ କିନ୍ତୁ ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବନି ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ବର୍ଷାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହିଛି ।