ଭୁବନେଶ୍ୱର : ରାଜ୍ୟର କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।ସୁବର୍ଣ୍ଣରେଖାରେ ୨୦.୯୭, ବୁଢ଼ାବଳଙ୍ଗରେ ୪୩.୦୭, ବୈତରଣୀରେ ୩୦.୬୫ ମିମି ବର୍ଷା ରେକର୍ଡ ହୋଇଛି। ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବା ଆଶଙ୍କା ରହିଛି ତେବେ ବର୍ଷା ହେଲେ ଯାଇ ସତର୍କ ସଂକେତ ଉପରକୁ ଯିବ କିନ୍ତୁ ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବନି ବୋଲି ଯନ୍ତ୍ରୀ କହିଛନ୍ତି। ହୀରାକୁଦରେ ୬୨୬.୩୧ ଫୁଟ, ରେଙ୍ଗାଳିରେ ୧୨୨.୭୩ ମିଟର ଜଳ ଅଛି। ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ୍ ତଳେ ଜଳ ପ୍ରବାହିତ ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବାବେଳେ ଏହା ଉତ୍ତର ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବ। ସେପଟେ ଆଜି ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି କଳାହାଣ୍ଡି , କନ୍ଧମାଳ , ରାୟଗଡା, ଗଜପତି , ନବରଙ୍ଗପୁର ଏବଂ ନୂଆପଡା ଜିଲ୍ଲାରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।