ନୂଆଦିଲ୍ଲୀ: ପ୍ରାୟ ପ୍ରତ୍ୟେକ ଦିନ ହୃଦଘାତ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ବିବାହ ମଞ୍ଚରେ ନାଚୁ ନାଚୁ କେହି ଟଳି ପଡ଼ୁଛନ୍ତି, ତ ଆଉ କେତେବେଳେ ସ୍କୁଲରେ ଛୋଟ ପିଲା ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି । କେରଳ ବିଧାନସଭା କାର୍ଯ୍ୟକ୍ରମରେ ଅନୁରୂପ ଘଟଣା ଘଟିଛି । ଜଣେ ବ୍ୟକ୍ତି ନାଚୁ ନାଚୁ ଷ୍ଟେଜ୍ ଉପରେ ଟଳି ପଡ଼ିଛନ୍ତି । ବ୍ୟକ୍ତି ଜଣକ ହେଲେ ୱାୟନାଡ଼ର ଜନେଶ ଅବଦୁଲ୍ଲା (୪୫) । ଜନେଶ କେରଳ ବିଧାନସଭାର ଜଣେ କର୍ମଚାରୀ ଅଟନ୍ତି ।
ବିଧାନସଭାରେ ଓନମ୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଧାନସଭାର କିଛି ମହିଳା ଏବଂ ପୁରୁଷ କର୍ମଚାରୀ ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିଲେ । ଏହି ସମୟରେ ଜନେଶ ଅବଦୁଲ୍ଲା ମଧ୍ୟ ମଞ୍ଚ ଉପରେ ନାଚୁଥିଲେ । କିନ୍ତୁ ସେ ହଠାତ୍ ତଳେ ପଡ଼ି ଯାଇଥିଲେ । ସେଠାରେ ଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି ।
ଜନେଶ ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନ୍ ଭାବରେ କାମ କରୁଥିଲେ । ସେ ବିଧାନସଭାରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ, ଖେଳ ଏବଂ ନୃତ୍ୟରେ ବେଶ ସକ୍ରିୟ ଥିଲେ । ଜନେଶଙ୍କ ଏଭଳି ଅକାଳ ବିୟୋଗ ପରେ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।