ନୂଆଦିଲ୍ଲୀ: ସୋମବାର ସକାଳୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଜାରି ରହିଛି, ହରିୟାଣାର ଅନେକ ଅଞ୍ଚଳ ଏଥିରୁ ବର୍ତ୍ତି ପାରିନି । ଏହି କାରଣରୁ ଗୁରୁଗ୍ରାମର ଦିଲ୍ଲୀ-ଜୟପୁର ରାଜପଥର ଇଫକୋ ଚୌକରେ ଏକ ବଡ଼ ଧରଣର ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା। ପାଖାପାଖି ୭ ରୁ ୮ ମିଲୋମିଟର ଯାଏଁ ଏହି ଟ୍ରାଫିକ୍ ଜାମ୍ ହୋଇଥିଲା । ଅଧଘଣ୍ଟାର ରାସ୍ତା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା ।
ରାସ୍ତାଗୁଡ଼ିକରେ ପାଣି ଜମି ରହିଥିବାରୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇଛି। ପାଣିପାଗ ବିଭାଗ ସେପ୍ଟେମ୍ବର ୨ ପାଇଁ ବର୍ଷା ସତର୍କତା ମଧ୍ୟ ଜାରି କରିଛି। ହେଲେ ଦିଲ୍ଲୀ ଏନସିଆରର ଏ ଟ୍ରାଫିକ୍ ବ୍ୟବସ୍ଥା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।
ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ କର୍ପୋରେଟ ଅଫିସ ଓ ଘରୋଇ ଅନୁଷ୍ଠାନକୁ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ସମସ୍ତ ସ୍କୂଲକୁ ୨ ସେପ୍ଟେମ୍ବରରେ ଅନଲାଇନ କ୍ଲାସ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନେ ଜଳମଗ୍ନ ରାସ୍ତା, ବିଶେଷତଃ ଅଣ୍ଡରପାସ ଓ ତଳିଆ ଅଂଚଳ ଅସୁବିଧାର ସମ୍ମୁଖୀନ ହୋଇଥିଲେ।