ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଆଫଗାନିସ୍ତାନ କୁନାର ପ୍ରଦେଶ ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି । ରବିବାର ବିଳମ୍ବିତ ରାତିରେ ଦୁଇ ଦୁଇଟି ଭୂକମ୍ପରେ ସବୁ କିଛି ନିଚ୍ଛିନ୍ନ ହୋଇଯାଇଛି । ଅତି କମରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । କର ବା ମର ପରିସ୍ଥିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏ ନେଇ ଆଫଗାନିସ୍ତାର ସରକାରୀ ସମ୍ବାଦ ସରବରାହ ସଂସ୍ଥା ବଖତାର ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି ।
ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଜଲାଲାବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ୮ କିଲୋମିଟର ଗଭୀରରେ ଥିଲା । ଭାରତୀୟ ସମୟ ଅନୁସାରେ, ଭୂମିକମ୍ପର ଝଟକା ରବିବାର ରାତି ୧୨ ଟା ୪୭ ମିନିଟରେ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା, ଯାହାକି ଏକ ଶକ୍ତି ଶାଳୀ ଭୂକମ୍ପ ଝଟକା ଥିଲା । ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହାର ଝଟକା ସମଗ୍ର ପାକିସ୍ତାନ ଏବଂ ଦିଲ୍ଲୀ ଏନସିଆରରେ ଅନୁଭୂତ ହୋଇଥିଲା। ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ପ୍ରାୟ ୨୦ ମିନିଟ୍ ପରେ, ଭୂମିକମ୍ପର ଆଉ ଏକ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୫ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିଲା। ଘରଦ୍ୱାର ତାସ୍ ଭଳି ଭୁଶୁଡ଼ିବାକୁ ଲାଗିଥିଲା ।
ପ୍ରାଥମିକ ରିପୋର୍ଟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଥିବା କୁହାଯାଇଥିଲା । କିନ୍ତୁ ରାତି ବଢ଼ିବା ସହିତ ସକାଳ ହେବା ବେଳକୁ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇବଢ଼ିଯାଇଥିଲା । ପ୍ରାୟ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ବିଭିନ୍ନ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।