ନୂଆଦିଲ୍ଲୀ: ଚୀନର ତିଆନଜିନ ସହରରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀରେ ସୋମବାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶିଖର ସମ୍ମିଳନୀରେ ଏକ ସଙ୍ଗେ ପହଞ୍ଚିଥିଲେ ଏବଂ ତିନି ନେତା ପରସ୍ପରର ହାତ ଥାମି ହସୁଥିବା ଦେଖିବାକୁ ମିଳିଛି । ଯେଉଁ ସମୟରେ ପିଏମ ମୋଦୀ ଓ ରୁଷ ରାଷ୍ଟ୍ରପତି ସମ୍ମିଳନୀରେ ପରସ୍ପରର ହାତ ମିଳାଇ ଆଗକୁ ବଢୁଥିଲେ, ଠିକ୍ ସେହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଗୋଟିଏ କୋଣରେ ଛିଡା ହୋଇ ଚାହିଁ ରହିଥିଲେ ।
ଦୁଇ ନେତାଙ୍କ ଏହି ଯୁଗଳବନ୍ଦୀଙ୍କ ଅଦ୍ଭୁତ ଦୃଶ୍ୟର ଭିଡିଓକୁ ପୂରା ଦୁନିଆ ଦେଖିଛି । କାରଣ ଏସସିଓ ଶିଖର ସମ୍ମିଳନୀରେ ୨୬ ଦେଶ ଅଂଶ ଗ୍ରହଣ କରୁଛନ୍ତି ଏବଂ ପାକିସ୍ତାନ ମଧ୍ୟ ଏହାର ସଦସ୍ୟ । ଏଥିପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏହି ବୈଠକରେ ସାମିଲ୍ ହେବା ପାଇଁ ପହଞ୍ଚିଛନ୍ତି । ମାତ୍ର ତାଙ୍କୁ ସମ୍ମିଳନୀରେ ଏକୁଟିଆ ଦେଖିବାକୁ ମିଳିଚି । ହଲରେ ଗୋଟିଏ କୋଣରେ ଛିଡା ହୋଇଥିବା ଶେହବାଜ ସରିଫଙ୍କ ସହ ନା କୌଣସି ନେତା କହୁଥିଲେ ନା ତାଙ୍କୁ କିଏ ଗୁରୁତ୍ୱ ଦେଇଥିଲା । ବାସ୍ ସେ କେବଳ ପିଏମ ମୋଦୀ ଓ ପୁଟିନଙ୍କ କେମେଷ୍ଟ୍ରି ଓ ବାଉଡିଙ୍ଗକୁ ନିରବର ସହ ଦେଖି ଚାଲିଥିଲେ ।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଚୀନ ସାମ୍ନାରେ ପାକିସ୍ତାନକୁ ପହଲଗାମ ହମଲାର ଉଲ୍ଲେଖ କରି ତାଗିଦ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ପାକିସ୍ତାନର ନାଁ ନେଇ ନ ଥିଲେ । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଆତଙ୍କବାଦ କେବଳ କୌଣସି ଦେଶର ସୁରକ୍ଷା ନୁହେଁ ବରଂ ପୂରା ମାନବତା ପାଇଁ ଏକ ବଡ ଚ୍ୟାଲେଞ୍ଜ । କୌଣସି ଦେଶ, କୌଣସି ସମାଜ, କୌଣସି ନାଗରିକ ଏଥିରେ ନିଜକୁ ସୁରକ୍ଷିତ ମଣି ପାରିବ ନାହଁ । ଏଥିପାଇଁ ଆତଙ୍କବାଦ ସହ ଲଢେଇରେ ଭାରତ ସର୍ବଦା ଏକଜୁଟତା ଉପରେ ଜୋର ଦେଇ ଆସିଛି ।