ନୂଆଦିଲ୍ଲୀ: ସାଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀର ଗୋଟିଏ ପରେ ଗୋଟିଏ ବାର୍ତ୍ତା ଏବଂ ଫଟୋ ସାମ୍ନାକୁ ଆସୁଛି । ବିଶ୍ୱ ପ୍ରମୁଖ ବଡ଼ ବଡ଼ ଦେଶ ଏଥିରେ ସାମିଲ ହୋଇଛନ୍ତି । ବିଶେଷକରି ଯେଉଁ ସମୟରେ ଆମେରିକା କଠୋର ଶୁଳ୍କ ଲଗାଇ ରାଗ ସୁଝାଉଛି, ସେହି ସମୟରେ ପୁଣି ଏକାଠି ହୋଇଛନ୍ତି ଦୁଇ ଦେଶ ରୁଷ ଏବଂ ଭାରତ । ଏହାରି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧକୁ ଆହୁରି ଦ୍ୱିଗୁଣିତ କରିବା ଭଳି ଫଟୋ ସାମ୍ନାକୁ ଆସିଛି । ମୋଦୀ ଏବଂ ପୁଟିନ ଗୋଟିଏ କାର ବସି ବୈଠକ ପାଇଁ ବାହାରିଛନ୍ତି ।
ଏସସିଓ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭ୍ଲାଦିମିର ପୁଟିନ ଦୁଇ ଦେଶ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଉଭୟଙ୍କ ଅଲଗା ଅଲଗା ଗାଡ଼ିର ବ୍ୟବସ୍ଥା ରହିଥିବାବେଳେ କିନ୍ତୁ ଦୁଇ ବିଶ୍ୱ ନେତୃତ୍ୱ ଗୋଟିଏ ଗାଡ଼ିରେ ବୈଠକ ଅଭିମୁଖେ ବାହାରିଛନ୍ତି । ଏହି ଫଟୋ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ସନ୍ଦେଶ ବୋଲି ବୈଦେଶିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । କୌଣସି ବି ପରିସ୍ଥିତିରେ କିମ୍ବା ଆମେରିକାର କୌଣସି ଚାପରେ ଭାରତ ଓ ରୁଷର ସମ୍ପର୍କ ଦୁର୍ବଳ ହେବ ନାହିଁ, ଏହି ବାର୍ତ୍ତା ଦିଆଯାଇଛି ।
ଭାରତ ରୁଷଠାରୁ ତେଲ କିଣିବା ଦ୍ୱାରା ରୁଷ ୟୁକ୍ରେନ ସହିତ ଯୁଦ୍ଧ କରିବାକୁ ଆର୍ଥିକ ସ୍ତରରେ ମଜବୁତ ହେଉଛି । ତେଣୁ ଭାରତକୁ ତେଲ କିଣିବାକୁ ଆମେରିକା ଚାପ ପ୍ରୟୋଗ କରି ବିଫଳ ହେବା ପରେ ୨୫ ପ୍ରତିଶତ ଅତିରିକ୍ତ ଆମଦାନୀ ଶୁଳ୍କ ସହିତ ମୋଟ ୫୦ପ୍ରତିଶତ ଶୁଳ୍କ ଲଗାଇଛି । କିନ୍ତୁ ଯେପର୍ଯ୍ୟନ୍ତ ରୁଷ କମ ମୂଲ୍ୟରେ ତେଲ ଦେଉଥିବ ସେପର୍ଯ୍ୟନ୍ତ ଭାରତ ତେଲ କିଣୁଥିବ । ଦେଶବାସୀଙ୍କ ସ୍ୱାର୍ଥକୁ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।