ନୂଆଦିଲ୍ଲୀ: ଆଫଗାନିସ୍ତାନ କୁନାରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସୋମବାର ମୃତ୍ୟୁ ସଂଖ୍ୟା ୬୦୦ ଅତିକ୍ରମ କରିଥିବାବେଳେ ଆହତ ଏବଂ ଗୁରୁତର ସଂଖ୍ୟା ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି । ତାଲିବାଲ ସରକାର ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ କରାଯାଉଛି ।
ସୋମବାର ସକାଳ ସୁଦ୍ଧା ୨୫୦ ଜଣ ମୃତ୍ୟୁ ଏବଂ ୫୦୦ ରୁ ଅଧିକ ଆହତ ହୋଇଥିବା ଖବର ଆସିଥିଲା । ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା ୬୨୨ରେ ପହଁଚିଛି । ଅଧିକାଂଶ ମାଟି ଘର ଥିବାରୁ ଏବଂ ରାତ୍ର ସମୟ ଥିବାରୁ ପ୍ରାୟ ସମସ୍ତେ ମାଟି ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି । ଆହତ ମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ଜାଲାଲାବାଦରେ ଅଧିକାଂଶ ଅଞ୍ଚଳ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ୟ୍ୟ ବାଧା ପ୍ରାପ୍ତ ହେଉଛି ।
ରବିବାର ବିଳମ୍ବିତ ରାତିରେ ଦୁଇ ଦୁଇଟି ଭୂକମ୍ପରେ ସବୁ କିଛି ନିଚ୍ଛିନ୍ନ ହୋଇଯାଇଛି । ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଜଲାଲାବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ୮ କିଲୋମିଟର ଗଭୀରରେ ଥିଲା । ଭାରତୀୟ ସମୟ ଅନୁସାରେ, ଭୂମିକମ୍ପର ଝଟକା ରବିବାର ରାତି ୧୨ ଟା ୪୭ ମିନିଟରେ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା, ଯାହାକି ଏକ ଶକ୍ତି ଶାଳୀ ଭୂକମ୍ପ ଝଟକା ଥିଲା । ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହାର ଝଟକା ସମଗ୍ର ପାକିସ୍ତାନ ଏବଂ ଦିଲ୍ଲୀ ଏନସିଆରରେ ଅନୁଭୂତ ହୋଇଥିଲା। ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ପ୍ରାୟ ୨୦ ମିନିଟ୍ ପରେ, ଭୂମିକମ୍ପର ଆଉ ଏକ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୫ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିଲା। ଘରଦ୍ୱାର ତାସ୍ ଭଳି ଭୁଶୁଡ଼ିବାକୁ ଲାଗିଥିଲା ।
ଗତ ଦୁଇ ବର୍ଷ ତଳେ ଆଫଗାନିସ୍ତାନ ଏମିତି ଏକ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରିଥିଲା । ୨୦୨୩ରେ ୬.୩ ତିବ୍ରତା ଭୂମି କମ୍ପ ହୋଇଥିଲା । ଯେଉଁଥିରେ ୧୫୦୦ ଭଳି ଲୋକଙ୍କର ପ୍ରାଣ ଅକାଳରେ ଚାଲି ଯାଇଥିଲା ।