ନୂଆଦିଲ୍ଲୀ: ସାଙ୍ଘାଇ ସହଯୋଗ ସମ୍ମିଳନୀରେ ଭାରତର ବଡ଼ କୂଟନେତିକ ବିଜୟ ହୋଇଛି । ପଡ଼ୋଶୀ ପାକିସ୍ତାନକୁ ଶକ୍ତ ଚାପୁଡ଼ା ଲାଗିଛି । ଏସସିଓ ଘୋଷଣା ପତ୍ରରେ ପହଲଗାମ ଆକ୍ରମଣ ସ୍ଥାନ ପାଇଛି । ସବୁବେଳେ ବନ୍ଧୁ ପାକିସ୍ତାନ ଆଡ଼କୁ ଢଳି ରହୁଥିବା ଚୀନ ଚଳିତ ସମ୍ମିଳନୀରେ ଆତଙ୍କବାଦକୁ କଡ଼ାକଡ଼ି ନିନ୍ଦା କରିଛି ।
ସାଙ୍ଘାଇ ସହଯୋଗ ଶିଖର ସମ୍ମିଳନୀ ଶେଷ ହୋଇଛି । ସମ୍ମିଳନୀରେ ଆୟୋଜକ ଚୀନ, ଭାରତ, ରୁଷ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ମୋଦୀ ବିଶ୍ୱ ସମୁଦାୟ ସମ୍ମୁଖରେ ଆତଙ୍କବାଦ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତିକୁ ଗ୍ରହଣ କରାଯିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି । ସମ୍ମିଳନୀରେ ଶେଷ ହେବା ପରେ ଘୋଷଣାପତ୍ର ଜାରି କରାଯାଇଛି ।
ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ବିରୋଧରେ ଅଟଳ ପ୍ରତିବଦ୍ଧତା
ଏସସିଓ ରାଷ୍ଟ୍ର ଅଧ୍ୟକ୍ଷର ପରିଷଦ ସୋମବାର ତିଆନଜିନ ଘୋଷଣା ପତ୍ର ଜାରି କରିଛନ୍ତି । ଏଥିରେ ଏପ୍ରିଲ ୧୧ରେ ସାରା ଭାରତକୁ ଲୁହ ଭିଜାଇ ଦେଇଥିବା ପହଲଗାମ ଆତଙ୍କୀ ହମଲା କଡ଼ା ନିନ୍ଦା କରାଯାଇଛି । ପହଲଗାମ ଆକ୍ରମଣ ପୀଡ଼ିତ ପରିବାର ପ୍ରତି ଏସସିଓ ସମବେଦନା ଜଣାଇଛି । ଖାଲି ସେତିକି ନୁହେଁ ଆକ୍ରମଣକାରୀ, ତାର ଆୟୋଜକ ଏବଂ ପ୍ରାୟୋଜକଙ୍କୁ ଦଣ୍ଡିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ବିରୋଧରେ ଅଟଳ ପ୍ରତିବଦ୍ଧତା ବୋଲି ଏସସିଓ ସଦସ୍ୟା ଦେଶ ଗୁଡ଼ିକ ଏକମତରେ ଉପନୀତ ହୋଇଛନ୍ତି । ଆତଙ୍କବାଦକୁ କୌଣସି ଭାବରେ ସହ୍ୟ କରାଯିବ ନାହିଁ ବୋଲି ଏସସିଓ ସଦସ୍ୟ ଦେଶ ଗୁଡ଼ିକ ଦୋହରାଇଛନ୍ତି । ଏହାକୁ ମୂଳୋତ୍ପାଟନ କରିବା ନିତ୍ୟାନ୍ତ ଜରୁରୀ । ଆତଙ୍କବାଦ, ବିଚ୍ଛିନ୍ନାତାବାଦୀ ଓ ଉଗ୍ରବାଦୀକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭୁଲ ଅଟେ । ଆତଙ୍କବାଦକୁ ନେଇ ଦୋମୁହାଁ ନୀତିକୁ ମଧ୍ୟ ନିନ୍ଦା କରାଯାଇଛି । ଆତଙ୍କବାଦ ବିରୁଦ୍ଧରେ ସମସ୍ତ ଏସସିଓ ସଦସ୍ୟ ଏକ ସ୍ୱରରେ ସ୍ୱର ମିଳାଇଛନ୍ତି ।
ଗୋଟିଏ ପୃଥିବୀ-ଗୋଟିଏ ପରିବାର-ଗୋଟିଏ ଭବିଷ୍ୟତ
ଘୋଷଣାପତ୍ରର ବିଷୟବସ୍ତୁ ଥିଲା 'ଏକ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' । ଏପ୍ରିଲ ୩ରୁ ୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫ମ ଏସସିଓ ଷ୍ଟାର୍ଟଅପ୍ ଫୋରମର ଫଳାଫଳକୁ ସ୍ୱାଗତ କରାଯାଇଛି । ଯାହା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା । ସେହିପରି ମେ ୨୧ ଓ ୨୨ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦ତମ ଏସସିଓ ଥିଙ୍କ୍ ଟ୍ୟାଙ୍କ୍ ଫୋରମକୁ ମଧ୍ୟ ସ୍ୱାଗତ କରାଯାଇଛି । ସାଂସ୍କୃତିକ ଏବଂ ମାନବିକ ବିନିମୟରେ ଭାରତୀୟ ବିଶ୍ୱ ବ୍ୟାପାର ପରିଷଦରେ ଏସସିଓ ଅଧ୍ୟୟନ କେନ୍ଦ୍ରର ଅବଦାନକୁ ମଧ୍ୟ ପ୍ରଶଂସା କରାଯାଇଥିଲା।