ନୂଆଦିଲ୍ଲୀ: ଚୀନର ତିଆନଜିନରେ ଆୟୋଜିତ ସାଙ୍ଘାଇ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀ ଉପରେ ଖବୁ ବର୍ଷିଛନ୍ତି । ପାକିସ୍ତାନର ନାଁ ନଧରି ଆତଙ୍କବାଦ କାର୍ଯ୍ୟକଳାପ ଏବଂ ପହଲଗାମ ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି । ଆତଙ୍କବାଦ କିପରି ସାରା ବିଶ୍ୱକୁ ଗ୍ରାସ କରିବାକୁ ବସିଛି ତାହା ମଧ୍ୟ କହିଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀ ଏସସିଓରେ ଆତଙ୍କବାଦୁ ଉପରରେ ଖୋଲାଖୋଲିଭାବେ ଆଲୋଚନା କରିଛନ୍ତି । ମୋଦୀ କହିଛନ୍ତି, ଯେକୌଣସି ଦେଶର ବିକାଶର ଆଧାର ହେଉଛି ସୁରକ୍ଷା, ଶାନ୍ତି ଏବଂ ସ୍ଥିରତା । କିନ୍ତୁ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ଏହି ପଥରେ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ସୁରକ୍ଷା ଚ୍ୟାଲେଞ୍ଜ ନୁହେଁ ବରଂ ସମଗ୍ର ମାନବଜାତି ପାଇଁ ବିପଦ । କୌଣସି ଦେଶ, କୌଣସି ସମାଜ ଏବଂ କୌଣସି ନାଗରିକ ଏଥିରୁ ସୁରକ୍ଷିତ ରହିପାରିବେ ନାହିଁ । ଭାରତ ଆତଙ୍କବାଦ ବିରୁଦ୍ଧରେ ଏକତା ଉପରେ ଗୁରୁତ୍ୱ ଦେଇଛି । SCO-RATS ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ଏହି ବର୍ଷ ଭାରତ "ଆଲ-କାଏଦା" ଏବଂ ଏହାର ସହଯୋଗୀ ସଂଗଠନଗୁଡ଼ିକ ବିରୁଦ୍ଧରେ ମିଳିତ ସୂଚନା ଅଭିଯାନର ନେତୃତ୍ୱ ନେଇଥିଲା । ଆମେ ମୌଳବାଦର ମୁକାବିଲା ଏବଂ ସମନ୍ୱୟ ବୃଦ୍ଧି ପାଇଁ ମିଳିତ ପଦକ୍ଷେପ ପ୍ରସ୍ତାବ ଦେଇଥିଲୁ। ଏହା ସହିତ, ଆମେ ଆତଙ୍କବାଦର ଆର୍ଥିକ ସହାୟତା ବିରୁଦ୍ଧରେ ମଧ୍ୟ ସ୍ୱର ଉଠାଇଲୁ ଏବଂ ଏଥିରେ ମିଳିଥିବା ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କଲୁ ।
ମୋଦୀ ପହଲଗାମ ପ୍ରସଙ୍ଗକୁ ପୁଣି ଥରେ ବିଶ୍ୱ ସାମ୍ନାରେ ଉପସ୍ଥାପନା କରିଛନ୍ତି । ଭରତ ଲମ୍ବା ସମୟ ଧରି ଆତଙ୍କବାଦକୁ ସହି ଆସିଛି । କେତେ ପିଲା ଅନାଥ ହୋଇଛନ୍ତି । ପହଲଗାମ ଆକ୍ରମଣ କେବଳ ଭାରତର ଅନ୍ତର ଆତ୍ମା ଉପରେ ନଥିଲା ବରଂ ଏହା ମାନବତା ପାଇଁ ଚ୍ୟାଲେଞ୍ଜ୍ ଥିଲା । ପହଲଗାମ ଆକ୍ରମଣରେ ଆତଙ୍କବାଦର ଘୃଣ୍ୟ ରୂପ ଦେଖିବାକୁ ମିଳିଥିଲା । ଯେଉଁ ଦେଶମାନେ ଭାରତକୁ ସମର୍ଥନ କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ କୌଣସି ଦ୍ୱିମତରେ ଆତଙ୍କବାଦକୁ ସ୍ୱୀକାର କରାଯିବ ନାହିଁ ବୋଲି ସିଧାସିଧା କହିଛନ୍ତି ମୋଦୀ ।