ବେଜିଂ: ଚୀନ ଜାପାନ ବିରୋଧରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବିଜୟର ୮୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସବୁଠୁ ବିପଦଜ୍ଜନକ ଇଣ୍ଟର ବାଲିଷ୍ଟିକ ପରମାଣୁ ମିସାଇଲକୁ ପ୍ରଥମ ଥର ଆର୍ମି ପରେଡରେ ପ୍ରଦର୍ଶିତ କରିଛି । ଡିଏଫ-୫ସି ନୂଆ ପ୍ରକାରର ତରଳ ଇନ୍ଧନ ବିଶିଷ୍ଟ ପରମାଣୁ ମିସାଇଲ । ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ଏହି ମିସାଇଲର ଆନୁମାନିକ ଲକ୍ଷ୍ୟଭେଦ କ୍ଷମତା ୨୦ ହଜାର କିଲୋମିଟରରୁ ଅଧିକ ରହିଛି । ଏହା ଦୁନିଆର କୌଣସି ବି ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିପାରେ ।
ପରେଡରେ ଚୀନ ପ୍ରଥମ ଥର ନୂଆ ହତିଆର ପ୍ରଣାଳୀର ଏକ ସିରିଜ୍ ପ୍ରଦର୍ଶିତ କରିଛି । ଏଥିରେ ଡିଏଫ-୫ସି ବ୍ୟତୀତ ୫ ହଜାର କିଲୋମିଟର ବିଶିଷ୍ଟ ଡିଏଫ-୨୬ଡି ଜାହାଜ ନିରୋଧୀ ବାଲିଷ୍ଟିକ ମିସାଇଲ, ସିଜେ-୧୦୦୦ ଦୀର୍ଘଗାମୀ ହାଇପରସୋନିକ କ୍ରୁଜ ମିସାଇଲ, ଏୟାର ଡିଫେନ୍ସ ସିଷ୍ଟମ, ଏଚକ୍ୟୁ-୨୯ ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟର, କ୍ୟାରିୟର କିଲର ମିସାଇଲ, ନୂଆ ଯୁଦ୍ଧ ଟ୍ୟାଙ୍କ ଟାଇପ ୯୯ବି ଓ ଅନେକ ରକେଟ୍ ଲଞ୍ଚର ସାମିଲ୍ ।
ଏହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ କ୍ଷେପଣାସ୍ତ୍ର ମଧ୍ୟରେ ଗଣନା କରାଯାଏ। ଏହି ଆନ୍ତଃମହାଦେଶୀୟ ରଣନୈତିକ ପରମାଣୁ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ଦୁନିଆର ପୂରା କୋଣକୁ ରହିଛି । କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ଏବଂ ପରମାଣୁ ନିରସ୍ତ୍ରୀକରଣ ବିଶେଷଜ୍ଞ ପ୍ରଫେସର ୟାଙ୍ଗ ଚେଙ୍ଗଜୁନ୍ କହିଛନ୍ତି, \"ଡିଏଫ-୫ସି ତରଳ ଇନ୍ଧନଯୁକ୍ତ ଆନ୍ତଃମହାଦେଶୀୟ ରଣନୈତିକ ପରମାଣୁ କ୍ଷେପଣାସ୍ତ୍ର । ଏହା ଚୀନ୍ର ପୂର୍ବ ସିରିଜ୍ କ୍ଷେପଣାସ୍ତ୍ର ବିକାଶ ସମୟରେ ପ୍ରାପ୍ତ ପ୍ରଯୁକ୍ତିବିଦ୍ୟା ଏବଂ ଅଭିଜ୍ଞତାକୁ ନେଇ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଡିଏଫ-୫ ସିରିଜ୍ ଏବଂ ଡିଏଫ-୪୧ କ୍ଷେପଣାସ୍ତ୍ରର ବୈଷୟିକ ସୁବିଧା ରହିଛି। ଏହା ଚୀନକୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ମୂଲ୍ୟ ପ୍ରଦାନ କରିଥାଏ ।
ୟାଙ୍ଗ କହିଛନ୍ତି ଯେ ସାମରିକ ପରେଡରେ ବ୍ୟାପକ ଭାବରେ ପ୍ରଦର୍ଶିତ ଊୠ-୫ଉ ସମେତ ଅନେକ ନୂତନ ପ୍ରକାରର ରଣନୈତିକ ପରମାଣୁ ଆକ୍ରମଣ ଅସ୍ତ୍ର ଚୀନର ପରମାଣୁ ରଣନୀତି ସହିତ ସମାନ। ଚୀନ ସର୍ବଦା ପ୍ରତିରକ୍ଷା ପ୍ରକୃତିର ପରମାଣୁ ରଣନୀତି ପାଳନ କରିଆସିଛି ।
Also read: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ୨୦୨୪ ପର୍ଯ୍ୟନ୍ତ ଆସିଥିବା ଏହି ଦେଶର ଲୋକଙ୍କୁ ଭାରତରେ ରହିବାକୁ ମିଳିବ ଅନୁମତି