ନୂଆଦିଲ୍ଲୀ: ଧାର୍ମିକ ଉତ୍ପୀଡନରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଓ ଖ୍ରୀଷ୍ଟିୟାନ ସମୁଦାୟର ସଦସ୍ୟଙ୍କୁ ପାସପୋର୍ଟ କିମ୍ବା ଅନ୍ୟ ଦସ୍ତାବିଜ ବିନା ମଧ୍ୟ ଦେଶରେ ରହିବାକୁ ଅନୁମତି ଦିଆଯିବ । ବୁଧବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଗତ ବର୍ଷ ଲାଗୁ ହୋଇଥିବା ନାଗରିକ ସଂଶୋଧନ ଅଧିନିୟମ(ସିଏଏ) ଅନୁସାରେ, ୨୦୧୪ ଡିସେମ୍ବର ୩୧ କିମ୍ବା ତା ପୂର୍ବରୁ ଭାରତ ଆସିଥିବା ଉତ୍ପୀଡିତ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଏ । ନିକଟରେ ଲାଗୁ ନିର୍ବାସନ ଏବଂ ବିଦେଶୀ(ନାଗରିକ) ଅଧିନିୟମ ୨୦୨୫ ଆଧାରରେ ଜାରି ମହତ୍ୱପୂର୍ଣ୍ଣ ଆଦେଶରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଆଦେଶ ଅନୁସାରେ ଆଫଗାନିସ୍ତାନ, ବାଂଲାଦେଶ କିମ୍ବା ପାକିସ୍ତାନ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଓ ଖ୍ରୀଷ୍ଟିୟାନ ଯିଏ ଧାର୍ମିକ ଉତ୍ପୀଡନ କିମ୍ବା ଭୟରେ ଭାରତରେ ଶରଣ ନେବାକୁ ବିବଶ ହୋଇଛନ୍ତି ଏବଂ ୨୦୨୪ ଡିସେମ୍ବର ୩୧ ପୂର୍ବରୁ ବୈଧ୍ୟ ଦସ୍ତାବିଜ ବିନା ଦେଶରେ ପ୍ରବେଶ କରିଥିବା ଲୋକଙ୍କୁ ଭାରତରେ ରହିବାକୁ ଅନୁମତି ପ୍ରଦାନ କରାଯାଇଛି ।
ଆଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନେପାଳ ଓ ଭୂଟାନର ନାଗରିକଙ୍କୁ ଭାରତ ଯିବା ଆସିବା କିମ୍ବା ରହିବା ପାଇଁ ପାସପୋର୍ଟ କିମ୍ବା ଭିସାର ଆବଶ୍ୟକତା ନାହିଁ । ସର୍ତ୍ତ ସେମାନରେ ଭାରତୀୟ ସୀମା ମାର୍ଗରେ ପ୍ରବେଶ କରିବେ । ଏହି ବ୍ୟବସ୍ଥା ପୂର୍ବପରି ଜାରି ରହିବ । ଯଦି କୌଣସି ନେପାଳି କିମ୍ବା ଭୂଟାନ ନାଗରିକ ଚୀନ, ମକାଉ, ହଂକଂ କିମ୍ବା ପାକିସ୍ତାନ ଦେଇ ଭାରତ ପ୍ରବେଶ କରନ୍ତି ତେବେ ସେମାନଙ୍କ ପାଖରେ ମାନ୍ୟ ପାସପୋର୍ଟ ରହିବା ବାଧ୍ୟତାମୂଳକ ।