ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଆଗାମୀ ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । କିନ୍ତୁ ଆଗାମୀ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ବର୍ଷା ନେଇ ସାରା ରାଜ୍ୟକୁ ସତର୍କ କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
ଆସନ୍ତାକାଲି ସକାଳ ୩ଜିଲ୍ଲା ମୟୂରଭଞ୍ଜ, କୋରାପୁଟ ଏବଂ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓ ଏହାର ପାଶ୍ୱବର୍ତ୍ତୀ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ନବରଙ୍ଗପୁର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ ।
୬ ତାରିଖରେ ମଧ୍ୟ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଝଟକା ପବନର ବେଗ ୪୦ରୁ ୫୦ କିମି ରହିବ । ଯାହାକୁ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଉଦଳାରେ ସର୍ବାଧିକ ୮୪.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ସର୍ବାଧିକ ୪୦.୬ ଡିଗ୍ରୀ ଓ ଭଦ୍ରକରେ ସର୍ବନିମ୍ନ ୧୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।