ଜଣେ ପାକିସ୍ତାନୀ ମହିଳାଙ୍କ ସହ ବିବାହକୁ "ଲୁଚାଇବା" ପାଇଁ ଚାକିରିରୁ ବହିଷ୍କାର ହୋଇଥିବା କେନ୍ଦ୍ରୀୟ ରିଜର୍ଭ ଫୋର୍ସ (CRPF) ଯବାନ ମୁନିର ଅହମ୍ମଦ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଗତ ବର୍ଷ (CRPF) ମୁଖ୍ୟାଳୟରୁ ଅନୁମତି ପାଇବାର ପ୍ରାୟ ଗୋଟିଏ ମାସ ପରେ ସେ ପାକିସ୍ତାନର ମିନାଲ ଖାନଙ୍କୁ ବିବାହ କରିଥିଲେ। ଜମ୍ମୁର ଘରୋଟା ଅଞ୍ଚଳର ବାସିନ୍ଦା ମୁନିର ଏପ୍ରିଲ ୨୦୧୭ରେ ସିଆରପିଏଫରେ ଯୋଗ ଦେଇଥିଲେ। ସେ ଗତ ବର୍ଷ ମେ ୨୪ ତାରିଖରେ ଭିଡିଓ କଲ୍ ମାଧ୍ୟମରେ ପାକିସ୍ତାନର ମିନାଲ ଖାନଙ୍କୁ ବିବାହ କରିଥିଲେ।
ତେବେ ବହିଷ୍କାର ସମ୍ପର୍କରେ ସେ କହିଛନ୍ତି, "ପ୍ରଥମେ ଗଣମାଧ୍ୟମ ମାଧ୍ୟମରେ ବହିଷ୍କାର ଖବର ଜାଣିବାକୁ ପାଇଲି । କିଛି ସମୟ ପରେ ଉଜଚୠ ଠାରୁ ସେ ଏକ ଚିଠି ପାଇଥିଲେ" । ଯେଉଁଥିରେ ତାଙ୍କର ବହିଷ୍କାର ବିଷୟରେ ସୂଚନା ଦିଆଯାଇଥିଲା । ଏହା ତାଙ୍କ ପାଇଁ ଓ ପରିବାର ପାଇଁ ଏକ ଦୁଃଖର କାରଣ ଥିଲା । ପାକିସ୍ତାନୀ ମହିଳାଙ୍କୁ ବିବାହ କରିବା ପାଇଁ ମୁଖ୍ୟାଳୟରୁ ଅନୁମତି ମାଗିଥିଲେ ଏବଂ ଅନୁମତି ପାଇଥିବା କଥା କହିଥିଲେ ମୁନୀର । CRPFରୁ ତାଙ୍କୁ ବହିଷ୍କାର କରାଯିବାରୁ କୋର୍ଟରେ କେସ କରିବେ କହିଛନ୍ତି ମୁନୀର । ସେ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ।
ସୂଚନା ଅନୁସାରେ ଡିସେମ୍ବର ୩୧, ୨୦୨୨ରେ ପ୍ରଥମ ଚିଠି ଲେଖିଥିଲେ ମୁନୀର । ତାଙ୍କୁ ପାସପୋର୍ଟ, ବିବାହ କାର୍ଡ ଏବଂ ଆଫିଡେଭିଟ୍ ର କପି ଭଳି କିଛି ଫର୍ମ ପୂରଣ କରିବାକୁ କୁହାଯାଇଥିଲା । ସତ୍ୟପାଠ ସହିତ ପିତାମାତା, ସରପଞ୍ଚ ଏବଂ ଜିଲ୍ଲା ବିକାଶ ପରିଷଦ ସଦସ୍ୟଙ୍କ ସତ୍ୟପାଠ ସଠିକ୍ ଉପାୟରେ ଦାଖଲ କରି ଥିଲେ ବୋଲି କହିଛନ୍ତି ମୁନୀର । ଶେଷରେ ୩୦ଏପ୍ରିଲ ୨୦୨୪ରେ ବିବାହ ପାଇଁ ଅନୁମୋଦନ ପାଇଥିବା କହିଛନ୍ତି ମୁନୀର ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ନିଆଯାଇଥିବା କୂଟନୈତିକ ପଦକ୍ଷେପର ଅଂଶ ସ୍ୱରୂପ ଭାରତ ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡିବାକୁ କହିବା ପରେ ମୁନିର ଏବଂ ମିନାଲଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୀନାଲ ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ୱାଘା-ଅଟାରୀ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ତାଙ୍କର ସ୍ୱଳ୍ପକାଳୀନ ଭିସା ମାର୍ଚ୍ଚ ୨୨ ତାରିଖରେ ଶେଷ ହୋଇଥିଲା। ସେ ପର୍ଯ୍ୟନ୍ତ ସେ ଜମ୍ମୁରେ ଅହମଦଙ୍କ ଘରେ ରହୁଥିଲେ। ତଥାପି, ହାଇକୋର୍ଟ ତାଙ୍କୁ ପାକିସ୍ତାନ ପଠାଇବା ଉପରେ ରୋକ ଲଗାଇଛନ୍ତି ଏବଂ ସେ ବର୍ତ୍ତମାନ ଜମ୍ମୁରେ ମୁନିରଙ୍କ ବାସଭବନରେ ରହୁଛନ୍ତି।
ସେପଟେ ଘଟଣାକୁ ନେଇ ସିଆରପିଏଫ କହିଛି ଯେ ମୁନିରଙ୍କ କାର୍ଯ୍ୟ "ଗମ୍ଭୀର ଅସଦାଚରଣ ସହିତ ସମାନ" ଏବଂ ଏହା ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ। ଏପେଟ ମୁନିର କହିଛନ୍ତି ଯେ ସେ CRPFରୁ ତାଙ୍କୁ ବହିଷ୍କାର କରାଯିବାକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ। ସେ କହିଥିଲେ, "ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୁଁ କୋର୍ଟରୁ ନ୍ୟାୟ ପାଇବି।"