ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଡକ୍ଟର କୃଷ୍ଣମୂର୍ତ୍ତି ଭି ସୁବ୍ରମଣ୍ୟନ୍ଙ୍କ କାର୍ଯ୍ୟକାଳର ସମାପ୍ତିକୁ ତୁରନ୍ତ ପ୍ରଭାବରୁ ଅନୁମୋଦନ କରିଛନ୍ତି। ତାଙ୍କୁ ଏହି ପଦବୀରେ ୧ ନଭେମ୍ବର ୨୦୨୨ରୁ ନିଯୁକ୍ତି ଦିଆଯାଇଥିଲା। ପାକିସ୍ତାନକୁ ଦିଆଯାଇଥିବା ଆର୍ଥିକ ସୁବିଧା ଉପରେ ଆଇଏମଏଫ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।
କେଭି ସୁବ୍ରମଣ୍ୟନ୍ କିଏ?
କେଭି ସୁବ୍ରମଣ୍ୟନ୍ ଭାରତର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)। ସେ ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ ସର୍ବକନିଷ୍ଠ ସିଇଏ ପଦବି ମଧ୍ୟ ଗ୍ରହଣ କରିଥିଲେ। ଅର୍ଥନୀତିର ସ୍ଥିତି ଏବଂ ଆର୍ଥିକ ସଂସ୍କାର ଉପରେ ସମୟ ସମୟରେ ଭାରତ ସରକାରଙ୍କୁ ପରାମର୍ଶ ଦେବା ବ୍ୟତୀତ, ସିଇଏ ପ୍ରତିବର୍ଷ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ କରିବା ପାଇଁ ମଧ୍ୟ ଦାୟୀ।
ଶ୍ରୀ ସୁବ୍ରମଣ୍ୟନ୍ଙ୍କ କାର୍ଯ୍ୟକାଳରେ କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆର୍ଥିକ ଅସ୍ଥିରତା ପରିବେଶରେ ନୀତି ନିର୍ଦ୍ଧାରଣ ଅନ୍ତର୍ଭୁକ୍ତ ଥିଲା। ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସେବିର ବିଶେଷଜ୍ଞ କମିଟିର ମଧ୍ୟ ଅଂଶ ରହିସାରିଛନ୍ତି। ସେ ବନ୍ଧନ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀର ମଧ୍ୟ ଏକ ଅଂଶ ରହିସାରିଛନ୍ତି।
କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନଙ୍କ ନାମ ବ୍ୟାଙ୍କିଙ୍ଗ, କର୍ପୋରେଟ୍ କ୍ଷେତ୍ର ଏବଂ ଅର୍ଥନୈତିକ ନୀତିରେ ବିଶ୍ୱର ପ୍ରମୁଖ ବିଶେଷଜ୍ଞଙ୍କ ମଧ୍ୟରେ ଗଣାଯାଏ। ବ୍ୟାଙ୍କିଙ୍ଗ, ଆଇନ ଏବଂ ଆର୍ଥିକ, ନବସୃଜନ, ଅର୍ଥନୈତିକ ଅଭିବୃଦ୍ଧି ଏବଂ କର୍ପୋରେଟ୍ ପ୍ରଶାସନ ଭଳି ବିଭିନ୍ନ ବିଷୟ ଉପରେ ତାଙ୍କର ଗବେଷଣା ପତ୍ର ବିଶ୍ୱର ପ୍ରମୁଖ ପତ୍ରିକାରେ ପ୍ରକାଶିତ ହୋଇଛି। ସେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କ ମାର୍ଗଦର୍ଶନରେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍ ସ୍କୁଲ ଅଫ୍ ବିଜନେସ୍ରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ, ସେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଏବଂ ଭାରତୀୟ ପରିଚାଳନା ସଂସ୍ଥାନ (ଆଇଆଇଏମ୍)ରୁ ମଧ୍ୟ ଅଧ୍ୟୟନ କରିଛନ୍ତି।
ଅଧିକ ପଢ଼ନ୍ତୁ:
ଅଧିକ ପଢ଼ନ୍ତୁ: ପ୍ରତିଜ୍ଞା କଲେ କେନ୍ଦ୍ର ଜଳଶକ୍ତିମନ୍ତ୍ରୀ